ପ୍ରଧାନ ବିଚାରପତି ଓ ମଣିପୁର ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବଦ୍ରୀ ଶେଷାଦ୍ରି ଗିରଫ

0

ଚେନ୍ନାଇ:  ‘ୟୁଟ୍ୟୁବ୍’ରେ ସାକ୍ଷାତକାର ଦେଉଥିବା ବେଳେ ମଣିପୁର ହିଂସା ଓ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆଜି ତାମିଲନାଡୁ ପୁଲିସ ରାଜନୈତିକ ସମୀକ୍ଷକ ତଥା ପ୍ରକାଶକ ବଦ୍ରୀ ଶେଷାଦ୍ରିଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁସାରେ, ଶେଷାଦ୍ରିଙ୍କୁ ଦଫା ୧୫୩, ୧୫୩(ଏ) ଏବଂ ୫୦୫(୧)(ବି)ରେ ଗିରଫ କରାଯାଇଛି।

ସାକ୍ଷାତକାରରେ ଶେଷାଦ୍ରି କହିଥିଲେ ମଣିପୁର ହିଂସା ମାମଲାରେ ସୁପ୍ରିମ୍ କୋର୍ଟଙ୍କ କହିବା ଅନୁଯାୟୀ ସରକାର କିଛି ନ କରି ପାରିଲେ ଅଦାଲତ କରିବ। ତେବେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ବନ୍ଧୁକଟିଏ ଦେଇ ସେଠାକୁ ପଠାଇ ଦେବା। ଦେଖାଯାଉ ସେ ଶାନ୍ତି ଫେରାଇ ଆଣି ପାରୁଛନ୍ତି କି ନାହିଁ। ଶେଷାଦ୍ରି ଆହୁରି ମଧ୍ୟ କହିଥିଲେ, ସେ ଅଞ୍ଚଳ ହେଉଛି ପାହାଡ଼ିଆ ଏବଂ ଗହନ ବା ଜଟିଳ। ତେଣୁ ସେଠାରେ ହତ୍ୟାକାଣ୍ଡ ଘଟିବା ସ୍ୱାଭାବିକ । ଆମେ ହିଂସାକାଣ୍ଡ ବନ୍ଦ କରି ପାରିବା ନାହିଁ ।

ଉପରୋକ୍ତ ଟିପ୍ପଣୀ ଦେଇଥିବାରୁ ଆଡଭୋକେଟ୍ କବିୟାରାସୁ ଶେଷାଦ୍ରିଙ୍କ ନାଁରେ ଏଫଆଇଆର୍ ଦେଇଥିଲେ। ଅଭିଯୋଗରେ ଆଡଭୋକେଟ୍ କହିଛନ୍ତି ଯେ, ଜୁଲାଇ ୨୨ ତାରିଖ ଦିନ ସେ ‘ୟୁଟ୍ୟୁବ୍’ ସାକ୍ଷାତକାର ଭିଡିଓ କ୍ଲିପ୍ ଦେଖିଥିଲେ। ସେପଟେ ବିଜେପି ରାଜ୍ୟ ସଭାପତି ଅନ୍ନାମଲାଇ ଶେଷାଦ୍ରିଙ୍କ ଗିରଫଦାରିକୁ ନିନ୍ଦା କରି କହିଛନ୍ତି, ଡିଏମକେ ସରକାର ଗିରଫଦାରି ଉପରେ ନିର୍ଭରଶୀଳ।

ଟୁଇଟ୍ କରି ସେ ଲେଖିଛନ୍ତି, ପ୍ରଖ୍ୟାତ ପ୍ରକାଶକ ତଥା ମଞ୍ଚ ବକ୍ତା ବଦ୍ରି ଶେଷାଦ୍ରିଙ୍କୁ ତାମିଲନାଡୁ ପୁଲିସ ଗିରଫ କରିବା ଘଟଣାକୁ ରାଜ୍ୟ ବିଜେପି ତୀବ୍ର ନିନ୍ଦା କରୁଛି। ଜନସାଧାରଣଙ୍କ ମତର ପ୍ରତିକାର କରିବାର କ୍ଷମତା ନ ଥିବା ଡିଏମକେ ସରକାର କେବଳ ଗିରଫଦାରି ଉପରେ ନିର୍ଭର କରୁଛି। ତାମିଲନାଡୁ ପୁଲିସର କାମ କେବଳ ଦୁର୍ନୀତିଗ୍ରସ୍ତ ଡିଏମକେ ସରକାରଙ୍କ ପ୍ରତିହିଂସାମୂଳକ ପଦକ୍ଷେପ ସବୁକୁ କାର୍ୟ୍ୟକାରୀ କରିବା ।