ବିଜେଡି ଭାଙ୍ଗୁଛି, ବିଡେଡି ସେଲିବ୍ରେସନ କରୁଛି

କେବେ ବିଜେଡିର ଗଡ ଯାଜପୁରକୁ କୁହାଯାଉଥିବା ବେଳେ, ଏବେ ପରିସ୍ଥିତି କିନ୍ତୁ ପୁରା ଭିନ୍ନ ।  କାରଣ ଏବେ ଗେରୁଆ ମୟ ହେବାରେ ଲାଗିଛି ଯାଜପୁର । ବିଜେଡିର ଟାଣୁଆ ନେତା ନିଜକୁ କହି, ଛାତିରେ ହାତ ପିଟୁଥିବା ଜିଲ୍ଲାର ଅନେକ ନେତାଙ୍କ ସତ୍ତେ, ଏବେ ବିଜେଡି ହାତରୁ ଯାଜପୁର ଗଲାଣି । କିଛିଦିନ ତଳେ ଧର୍ମଶାଳା ବିଧାୟକ ହିମାଶୁଂଙ୍କ ମାଷ୍ଟରଷ୍ଟ୍ରୋକରେ, ଧର୍ମଶାଳା ବିଜେଡି ମାଟି କାମୁଡି ଥିଲା । ଏବଂ ପ୍ରଣବଙ୍କ ଭାଇଙ୍କ ହାତରୁ ବ୍ଲକ ଅଧ୍ୟକ୍ଷ ପଦ ଯାଇଥିଲା । ଆଉ ଏବେ  ବଡଚଣା ବିଧାୟକ ଅମର ନାୟକଙ୍କ ଗୋଟି ଚାଳନାରେ, ବଡଚଣା ବିଜେଡି ଖଣ୍ଡ ଖଣ୍ଡ ହୋଇଛି । ଏବଂ ସେହି ଭଗ୍ନାଶଂ ସବୁ ପଦ୍ମ ପୋଖରୀରେ ପଡିଛି । ଯାହାକୁ ସହଜରେ ହଜମ କରି ପାରୁନି ବଡଚଣା ବିଜେଡି ।

ଗତକାଲି ରାଜ୍ୟ ବିଜେପି ପାର୍ଟି ଅଫିସରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ବଡଚଣା ବ୍ଲକ ଅଧ୍ୟକ୍ଷା ମୀନତି ସେନାପତି ଓ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ । ଏବଂ ତାଙ୍କ ସହିତ ବଡଚଣା ବିଜେଡିର  ଅନେକ ଛାମୁଆ କର୍ମୀ ମଧ୍ୟ ପଦ୍ମ ପୋଖରୀକୁ ଡେଇଁଛନ୍ତି । ହେଲେ ଏବେ ସବୁଠାରୁ ରୋଚକ କଥା ହେଉଛି, ବିଜେଡି ଭାଙ୍ଗୁଥିବା ବେଳେ ବିଡେଡି ହିଁ ସେଲିବ୍ରେସନ କରୁଛି । ଆଉ ବାଣ ମାରି ଉତ୍ସବ ମନାଉଛି । କାରଣ ସେମାନଙ୍କ ମତରେ, ଦଳରୁ ଏବେ ସବୁ ଅଳିଆ ସଫା ହେଲେ । ଯେଉଁମାନଙ୍କ ଦଳ ବିରୋଧୀ ନୀତି ପାଇଁ, ବଡଚଣାରେ ବିଜେଡି ପରାଜୟ ହୋଇଥିଲା । ଏବେ ସେମାନେ ଦଳରୁ ଯାଇଛନ୍ତି ।