ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଏବଂ ଆତଙ୍କବାଦୀ । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ସେନାଙ୍କ ଏନକାଉଣ୍ଟରର ଶିକାର ହୋଇଛନ୍ତି ଜଣେ ପାକିସ୍ତାନୀ ନାଗରିକ । ମୃତ ଆତଙ୍କୀର ନାଁ ବାବର ବୋଲି ଜଣାପଡିଛି । ନିହତ ହୋଇଥିବା ଆତଙ୍କବାଦୀ ୨୦୧୮ ମସିହାରୁ ଶୋପିୟାନ ଏବଂ କୁଲଗାମରେ ସକ୍ରିୟ ଥିଲା । ଆତଙ୍କବାଦୀଙ୍କ ସହ ଗୁଳି ବିନିୟମ ବେଳେ ଜଣେ ଜବାନ ମଧ୍ୟ ସହିଦ ହୋଇଯାଇଛନ୍ତି । ୩ ଜଣ ଭାରତୀୟ ଯବାନ ଆହତ ହୋଇଥିବା ବେଳେ କିଛି ସ୍ଥାନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସେଠାରେ ସେନା ପକ୍ଷରୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।
ପ୍ରଥମେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାବାହିନୀକୁ ମିଳିଥିଲା ଗୁପ୍ତ ସୂଚନା । ତୁରନ୍ତ ସମ୍ପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମ ଗୁଳିମାଡ ହେବାରୁ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏକେ-୪୭, ପିସ୍ତଲ ଏବଂ ଦୁଇଟି ଗ୍ରେନେଡ୍ ମଧ୍ୟ ଜବତ କରିଛି ପୋଲିସ ।