ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି କୋହଲିଙ୍କ ପୂର୍ବରୁ ଥିବା ରେକର୍ଡ ଭାଙ୍ଗିଛନ୍ତି। ବାବର ଏବେ ପୁରୁଷ ଟି-୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଛନ୍ତି। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବାବର ଆଜମ ଅପରାଜିତ ୫୦ ରନ କରିଥିଲେ। ସେ ୩୬ ବଲରେ ୩ଟି ଚୌକା ଏବଂ ଗୋଟିଏ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ବାବରଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୩୯ତମ ଅର୍ଦ୍ଧଶତକ ଥିଲା। ଏହା ସହିତ ସେ ବିରାଟ କୋହଲିଙ୍କ ୩୮ ଅର୍ଦ୍ଧଶତକର ରେକର୍ଡକୁ ପଛରେ ପକାଇ ଦେଇଥିଲେ। ଗତ ବର୍ଷ ଟି-୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏହି ଫର୍ମାଟରୁ ଅବସର ନେଇଥିଲେ ଏବଂ ଦୀର୍ଘ ଦିନ ପାଇଁ ଏହି ରେକର୍ଡକୁ ନିଜ ନାମରେ ରଖିଥିଲେ। ଏବେ ସ୍ଥିର ପ୍ରଦର୍ଶନ ସହିତ ବାବର ନିଜକୁ ତାଲିକାର ଶୀର୍ଷରେ ପହଞ୍ଚାଇଛନ୍ତି।

ବାବର ଆଜମ ବର୍ତ୍ତମାନ ଯୁଗର ସବୁଠାରୁ ସ୍ଥିର ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। କେବଳ ଅର୍ଦ୍ଧଶତକ ନୁହେଁ, ବାବର ଆଜମ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଟି-୨୦ ସର୍ବାଧିକ ରନ ସ୍କୋରର୍ ମଧ୍ୟ। ସେ ୧୩୯ ଇନିଂସ୍‌ରେ ୪,୫୦୦ରୁ ଅଧିକ ରନ କରିଛନ୍ତି। ତାଙ୍କର ହାରାହାରି ପ୍ରାୟ ୪୦, ଯାହାକୁ ଟି-୨୦ ଭଳି ଫର୍ମାଟରେ ଅସାଧାରଣ ବୋଲି ବିବେଚନା କରାଯାଏ। ତାଙ୍କ ନାମରେ ୩ଟି ଶତକ ମଧ୍ୟ ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ମ୍ୟାଚ୍‌ରେ ବାବରଙ୍କ ଇନିଂସ ପାକିସ୍ତାନକୁ ଏକ ଦୃଢ଼ ସ୍କୋରରେ ପହଞ୍ଚିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ୨୦ ଓଭରରେ ୨୦୭ ରନ କରିଥିଲା, ଯାହା ଅନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ସର୍ବାଧିକ ସ୍କୋର।