କଟକ: ଓଡିଶାରେ ଆୟୁଷ୍ମାନ ଭାରତର ଯୋଜନାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଆଜି ଓଡିଶା ପାଇଁ ଐତିହାସିକ ଦିନ । ଡବଲ ଇଞ୍ଜିନ ସରକାର ଯୋଗୁଁ ଏହା ସଫଳ ହୋଇଛି । ଦୁନିଆର ସବୁଠୁ ବଡ ସୁସ୍ଥ ଆରୋଗ୍ୟ ଯୋଜନା ।
ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି ଯୋଜନାର ଲୋକାର୍ପଣ କରିଛନ୍ତି । ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩ ଲକ୍ଷ ୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିବ ।
ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ମାଗଣା ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଅସୁବିଧା ହେବନି । ବୟୋବନ୍ଦନା ହିତାଧିକାରୀମାନେ ଅଲଗା ସ୍ୱତନ୍ତ୍ର କାର୍ଡ ପାଇବେ । ପୂର୍ବରୁ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା । ଏବେ ଦେଶର ୨୯ ହଜାର ଅଗ୍ରଣୀ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ ।