ଫିରିଙ୍ଗିଆ/ ମୃତ୍ୟୁଞ୍ଜୟ ଦିଗାଲ: ବ୍ରିଜ ତଳକୁ ଖସିଲା ଅଟୋ । ଯାତ୍ରୀବାହୀ ଚାଳକ ମୃତ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ। ମୃତ ଚାଳକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) । ସିଦ୍ଧାନ୍ତ ଗତକାଲି ରାତି ୮ଟାରେ ନିଜ ଅଟୋରେ କିଛି ଯାତ୍ରୀଙ୍କୁ ଭଡ଼ା ନେଇ, ନୂଆପଦରରେ ହେଉଥିବା କାଳୀ ପୂଜା ଯାତ୍ରା ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ୟ୍ୟନ୍ତ ସେ ଘରକୁ ଫେରି ନଥିଲେ । ଆଜି ସକାଳୁ ବନ୍ଧ ଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ଥିବା ସ୍ଥାନୀୟ ଲୋକେ ଦେକିବାକୁ ପାଇଥିଲେ ।
ପରେ ଖବର ପାଇ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଟୋଟିକୁ ବାହାର କରିବା ବେଳେ ପାଣି ଭିତରୁ ସିଦ୍ଧାନ୍ତଙ୍କ ମୃତଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି।