ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣା, ଏବିଭିପି ସଦସ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣା ନେଇ ଛାତ୍ର ରାଜନୀତି ସରଗରମ ହୋଇଛି । ଆକ୍ରମଣକାରୀ ଏବିଭିପି ସଦସ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡି, ଏଆଇଏସଏଫ ପରି ଛାତ୍ର ସଙ୍ଗଠନ । ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରିବା ସହ ବିଶ୍ୱବିଦ୍ୟାଳୟ ପରିସର ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନଷ୍ଠାନ ଦାବି କରିଛି ଛାତ୍ର ବିଜେଡି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିବା ଛାତ୍ର ଓ ଅଣଛାତ୍ର ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ନେଇ ଆଜି ଦିବା ୧୨.୩୦ ମିନିଟ୍ ସମୟ ରେ ବିଜେବି କଲେଜ କ୍ୟାମ୍ପସ ଠାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଥିଲା ।

ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ । ଉଭୟ ଅଣଛାତ୍ର ହୋଇଥିବା ପୋଲିସ ସୂଚନା ଦେଇଛି । ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରଙ୍କୁ ଗୋଟିଏ ଗୋଷ୍ଠୀ ଛାତ୍ର ମାଡ଼ ମାରିଥିଲେ । ଏଥିରେ ଆହତ ହୋଇଥିଲେ ପ୍ରଫେସର ସୁରଜିତ ମଜମୁଦାର । ଉତ୍କଳ ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ ସମ୍ବିଧାନ ଏବଂ ଶିକ୍ଷା ଶୀର୍ଷକରେ ଆଲୋଚନା ଚକ୍ର ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବକ୍ତବ୍ୟ ରଖିବା ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିଲେ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ।