ପୂର୍ବ ଶତୃତାରୁ ଭାଇକୁ ଆକ୍ରମଣ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ ନେଇ ପାଟି ତୁଣ୍ଡ, ପରେ ଘଟଣା ପହଞ୍ଚିଥିଲା ମାଡପିଟରେ । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ମାଡପିଟ ୨ ଭାଇଙ୍କ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଘଟଣାଟି ଘଟି ଭଦ୍ରକ ଆରଡି ଫାଣ୍ଡି ଅଧିନସ୍ଥ ଆରଡି ଗୁଡିଆସାହିରେ ।
ଗାଁର ପରମାନନ୍ଦ ସାହୁ ଏବଂ ପୁରନ୍ଦର ସାହୁ ୨ ଭାଇଙ୍କ ମଧ୍ୟରେ ପୂର୍ବରୁ ଶତୃତା ରହିଥିଲା । ଯାହାକୁ ନେଇ ଉଭୟଙ୍କ ଭିତରେ ପ୍ରଥମେ ବଚସା ହୋଇଥିଲା । ତେବେ ଏହା ବଢି ବଢି ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁରନ୍ଦର ସାହୁ ଏବଂ ୨ ପୁଅ ମିଶି ହଠାତ ପରମାନନ୍ଦ ସାହୁ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଛନ୍ତି ପରମାନନ୍ଦଙ୍କ ପୁଅ ରାମ ସାହୁ । ତେବେ ଚେତାଶୂନ୍ୟ ଅବସ୍ଥାରେ ରାମକୁ ପ୍ରଥମେ ଆରଡି କେଡିକାଲ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏପରି ଘଟଣାର ଆରଡି ଫାଣ୍ଡିରେ ଦୀର୍ଘ ୩ ଦିନ ହେବ ପରିବାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ୨ଟି ମାମଲା ରୁଜୁ କରିବା ସହ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଏପଟେ ଆକ୍ରମଣରେ ଶିକାର ହୋଇଥିବା ରାମ ସାହୁର ପରିବାର ଦୋଷୀଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ବସି ରହିଛନ୍ତି ।