(ରିପୋଟର୍ସ ଟୁଡେ): ଆମ ପୁଲିସ ଆମ ସୁରକ୍ଷାର ମିଛି ବାହାସ୍ପଟ ମାରୁଥିବା କମିସନରେଟ ପୁଲିସର ପାରିବା ପଣିଆ ଏବେ ପଦାରେ ପଡିଛି । ଲକଡାଉନ ପାଇଁ ଅପରାଧ ସଂଖ୍ୟା କମିଯାଇଛି ବୋଲି କହୁଥିବା ପୁଲିସ ହିଁ ଖୋଦ ସାଜୁଛି ଅପରାଧୀ । ଲକଡାନ ପାଇଁ ସବୁଆଡେ ପୁଲିସ ମାଳମାଳ । ବାବୁମାନେ ପାଟ୍ରୋଲିଂ ବି ଜୋରଦାର କରୁଥିବା ଦାବି କରୁଛନ୍ତି । ହେଲେ କେଉଁଠି କର୍ତ୍ତବ୍ୟରତ ଜଣେ ଡାକ୍ତରାଣୀଙ୍କୁ ଦୁର୍ବୃତ୍ତ ମାନେ ଲୁଟିଲେଣି ତ କେଉଁଠି ଯୁବତୀଙ୍କ ଘରେ ପଶି ଯୁବକମାନେ ଦୁର୍ବ୍ୟବହାର କଲେଣି । ଏମିତି ଏକ ଘଟଣା ଘଟିଛି ସହିଦ ନଗର ଥାନା ଅଞ୍ଚଳରେ ।
ସୂଚନାନୁଯାୟୀ ଗତକାଲି ସହିଦନଗର ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଯୁବତୀଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିଲେ । ଏନେଇ ଯୁବତୀ ଜଣକ ତାଙ୍କ ଘର ମାଲିକଙ୍କୁ ଘଟଣା ବିଷୟରେ ଜଣାଇଲାପରେ ଘର ମାଲିକ ସେହି ଯୁବକକୁ ଡାକି ଘଟଣା ବିଷୟରେ ପଚାରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚାସ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସେହି ଯୁବକ ଜଣକ ସେଠାରୁ କିଛି ଯୁବକଙ୍କୁ ଫୋନ କରି ଡକାଇଥିଲା । ଯୁବକର ଫୋନ ପାଇ ସେଠାରେ ପ୍ରାୟ ୧୫ ରୁ ୨୦ ଯୁବକ ହାତରେ ମାରଣାସ୍ତ୍ର ଧରି ଘର ମାଲିକଙ୍କ ଘର ଆଗକୁ ଆସି ପାଟିତୁଣ୍ଡ କରିଥିଲେ । ଏମିତିକି ତାଙ୍କ ମଧ୍ୟରୁ ଜଣେ ଯୁବକ ହାତରେ ମାରଣାସ୍ତ୍ର ଧରି ମାଲିକଙ୍କୁ ମାରିବାକୁ ଘର ଭିତରେ ପଶିଥିଲା । ଏହି ସମୟରେ ନିଜ ଜୀବନ ବଞ୍ଚାଇବାକୁ ମାଲିକ ଜଣକ ଘର ଭିତରେ ଲୁଚି ଯାଇଥିଲେ । ଏହାପରଠାରୁ ମାଲିକ ଜଣକ ନିଜ ଭୟଭିତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି ।