ବୃଦ୍ଧା ପତ୍ନୀଙ୍କ ବିକଳ ଆବେଦନ ଭାବବିହ୍ୱଳ  ହେଲେ ବିଚାରପତି : ୮୯ବର୍ଷରେ ଛାଡପତ୍ର

ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଛାଡପତ୍ରର ସମାଧାନ  ହୋଇଛି । ଶେଷରେ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୮୨ ବର୍ଷୀୟା ପିତ୍ନୀଙ୍କ ଭାବପ୍ରବଣତାକୁ ଗୁରୁତ୍ୱ  ଦେଇ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଛନ୍ତି।  ଏଭଳି ଘଟଣା ଘଟିଛି ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ । ବର୍ତ୍ତମାନ ତାଙ୍କର ବୟସ ୮୯ ବର୍ଷ ହେଲାଣି। । ପତ୍ନୀଙ୍କୁ ମଧ୍ୟ ୮୩ ବର୍ଷ ହୋଇସାରିଛି। ତେବେ ସୁପ୍ରିମକୋର୍ଟରେ ବିତର୍କ ବେଳେ ବୃଦ୍ଧ ପତ୍ନୀ ବିଚାରପତିଙ୍କୁ ତାଙ୍କର ମନର ବେଦନା ପ୍ରକାଶ କରିଥିଲେ, ଯାହାକି ଅତ୍ୟନ୍ତ ଭାବପ୍ରବଣ ଥିଲା। ପତ୍ନୀ ଜଣକ ଛାଡପତ୍ରର କଳଙ୍କ ମୁଣ୍ଡାଇ ମରିବାକୁ ଚାହୁଁନାହାଁନ୍ତି ବୋଲି କହିବା ପରେ ତାଙ୍କ ଭାବନାକୁ ସମ୍ମାନ ଜଣାଇ ସ୍ୱାମୀ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ଏହି ଦମ୍ପତି ଚଣ୍ଡିଗଡ଼ରେ ରୁହନ୍ତି। ସେମାନଙ୍କ ବିବାହକୁ ୬୦ ବର୍ଷ ବିତିଗଲାଣି। ସେମାନେ ୧୯୬୩ ମସିହାରେ ବିବାହ କରିଥିଲେ। ଜାନୁଆରୀ ୧୯୮୪ରେ ଭାରତୀୟ ବାୟୁସେନା ଅଧିକାରୀ ମାଡ୍ରାସକୁ ସ୍ଥାନାନ୍ତର ନହେବା ପର୍ୟ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ସ୍ୱାଭାବିକ ଚାଲିଥିଲା। ସ୍ଥାନାନ୍ତର ପରେ ଉଭୟଙ୍କ ମଧ୍ୟରେ ଦୂରତା ଆସିବାରୁ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ପ୍ରାରମ୍ଭରେ ମହିଳା ତାଙ୍କ ଶଶୁର ଘରେ ଓ ପରେ ପୁଅ ସହିତ ରହିବାକୁ ଲାଗିଲେ।

ଅନେକ ଉଦ୍ୟମ ପରେ ବି ବିବାଦର ସମାଧାନ ହୋଇପାରିଲା ନାହିଁ। ଶେଷରେ ସ୍ୱାମୀ ୧୯୯୬ରେ ପତ୍ନୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ପତ୍ନୀ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ନିମ୍ନ ଅଦାଲତରୁ ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏବଂ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଇନଗତ ପ୍ରକ୍ରିୟା ୨୩ ବର୍ଷ ନେଇଥିଲା। ‌ଶେଷରେ ପତ୍ନୀଙ୍କ ଗୋଟାଏ ଭାବପ୍ରବଣ କଥା ସେମାନଙ୍କ ବିବାହକୁ ବଞ୍ଚାଇ ଦେଇଛି। ଜୀବନର ଶେଷ ସମୟରେ ଛାଡପତ୍ରର କଳଙ୍କ ନେଇ ସେ ମରିବାକୁ ଚାହାଁନ୍ତି ନାହିଁ ବୋଲି କାନ୍ଦି କାନ୍ଦି କହିବାରୁ ଏଥିରେ ଭାବବିହ୍ୱଳ ହୋଇପଡିଥିଲେ ବିଚାରପତି । ଏହାସହ ସ୍ୱାମୀ ମଧ୍ୟ ପତ୍ନୀଙ୍କ ବିରୋଧରେ ଆଣିଥିବା କ୍ରୁରତାର ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।