ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୧୯୧ ଯାତ୍ରୀଙ୍କ ଜୀବନ

0

ପାଟନା: ରବିବାର ସ୍ପାଇସ ଜେଟର ଏସଜି – ୭୨୩ ବିମାନର ଡେଣାରେ ନିଆଁ ଲାଗି ଯାଇଥିଲା । ଫଳରେ ବିମାନରେ ବସିଥିବା ୧୯୧ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜଣେ ଯାତ୍ରୀ ଡେଣାରେ ନିଆଁ ଲାଗିଥିବା ନେଇ ଜାଣିବାକୁ ପାଇବା ପରେ କ୍ରିୟୁ ମେମ୍ବରଙ୍କୁ ଖବର ଦେଇଥିଲେ । ଏହାପରେ ପାଇଲଟମାନେ ବିମାନଟି ବିପଦରେ ଥିବା ଜାଣିବାକୁ ପାଇଥିଲେ । ପାଇଲଟମାନେ ଉପସ୍ଥିତ ବୁଦ୍ଧି ଖଟାଇ ଗଙ୍ଗାନଦୀ ପଥରେ ଜାହାଜର ଦିଗ ବଦଳାଇ ଦେଇଥିଲେ । ପାଇଲଟମାନେ ଅତି ଚତୁରତାର ସହ ୧୯୧ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରରେ ଅବତରଣ କରାଇଥିଲେ । ଯେତବେଳେ ବିମାନରେ ଥିବା ଯାତ୍ରୀଙ୍କ ମୁଣ୍ଡ କାମ କରିବା ବନ୍ଦ ହୋଇଯାଇଥିଲା ସେତେବେଳେ ମହିଳା ପାଇଲଟ ମୋନିକା ଖାନ୍ନା ଉପସ୍ଥିତ ବୁଦ୍ଧି ଖଟାଇ ସୁରକ୍ଷିତ ଭାବେ ବିମାନଟିକୁ ଅବତରଣ କରାଇଥିଲେ । ମହିଳା ପାଇଲଟ ମୋନିକା କ୍ରିୟୁ ମେମ୍ବରଙ୍କ ଠାରୁ ୂବିମାନରେ ନିଆଁ ଲାଗିଥିବା ନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ବିମାନର ଇଞ୍ଜିନକୁ ବନ୍ଦ କରିଦେଇଥିଲେ । ସେତେବେଳେ ବିମାନରେ ୧୮୫ ଯାତ୍ରୀଙ୍କ ସମେତ ୨ ଜଣ ଶିଶୁ ଓ ୬ ଜଣ କ୍ରିୟୁ ମେମ୍ବର ରହିଥିଲେ । ଏହି ସମୟରେ ପାଇଲଟ ମୋନିକା ଧୈର୍ଯ୍ୟ ହରାଇ ନଥିଲେ । ତାଙ୍କ ସାମ୍ନାରେ ବିମାନର ବନ୍ଦରର ଗୋଟିଏ ପାଶ୍ୱର୍ରେ ଲମ୍ବା ଗଛ ଓ ଅନ୍ୟ ପାଶ୍ୱର୍ରେ ରେଳ ଲାଇନ୍ ରହିଥିଲା । ଏଭଳି ଜଟିଳ ପରିସ୍ଥିତିରେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇବା ତାଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ରହିଥିଲା । ସେ ନିଜର ଧୈର୍ଯ୍ୟ ନହରାଇ ସୁରକ୍ଷିତ ଭାବେ ବିମାନଟିକୁ ଅବତରଣ କରାଇଥିଲେ । ଯାହାକୁ ନେଇ ପାଟନା ସମେତ ସାରା ଦେଶରେ ମୋନିକାକୁ ଉଚ୍ଚ ପ୍ରସଂଶା କରାଯାଇଛି ।