ଦୁଃସାହସିକ ସାମ୍ବାଦିକତାର ଅନ୍ୟନାମ ଥିଲେ ଅରିନ୍ଦମ

ଭୁବନେଶ୍ୱର: ମୃତ୍ୟୁ, କାହାକୁ କେତେବେଳେ କେମିତି ଆସିବ ତାହା କେହି ଭବିଷ୍ୟବାଣୀ କରି ପାରିବ ନାହିଁ । ନୋହିଲେ ଯେଉଁ କାର୍ଯ୍ୟରେ ସିଦ୍ଧହସ୍ତ ଥିଲେ ଅରିନ୍ଦମ ତାହା ହିଁ ତାଙ୍କୁ କାଳପ୍ରାପ୍ତିର କାରଣ ହୋଇଛି । ଆଜି ମୁଣ୍ଡଳି ବ୍ୟାରେଜରେ ଫସି ରହିଥିବା ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମ ପକ୍ଷରୁ ଆରମ୍ଭ ହୋଇଥିଲା ଗଜ ଉଦ୍ଧାର ଅଭିଯାନ । ଓଡ୍ରାଫ ଟିମ ବୋଟ ଯୋଗେ ହାତୀ ନିକଟକୁ ଯାଇଥିବା ବେଳେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ତାଙ୍କ ସହଯୋଗୀ ପ୍ରଭାତ ସିହ୍ନାଙ୍କ ସହ ମଧ୍ୟ ଖବର ଓ ଭିଜୁଆଲ ସଂଗ୍ରହ କରିବାର ଦୁଃସାହସ କରିଥିଲେ । ଜୀବନକୁ ବାଜି ଲଗାଇ ଓଡ୍ରାଫ ଟିମ ସହ ମୁଣ୍ଡଳିରେ ପ୍ରଖର ପାଣିର ଲହରିରେ ସେ ଖବର ପ୍ରସାରଣ କରିବାକୁ ବାହାରିଥିଲେ । କିନ୍ତୁ ଆଜି ହୁଏତ ତାଙ୍କ ପାଇଁ ସମୟ ଅନୁକୂଳ ନ ଥିଲା । ହଠାତ୍ ପାଣି ଭିତରେ ବୋଟଟି ଓଲଟି ପଡିଥିଲା । ଏଥିରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୫ ଜଣ ଓଡ୍ରାଫ ସଦସ୍ୟ ଭାସିଯାଇଥିଲେ ପାଣି ସୁଅରେ । ତେବେ ଅରିନ୍ଦମଙ୍କ ସମେତ ୬ ଜଣଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।

Television Journalist Dies As ODRAF Boat Capsizes In Mahanadi - Pragativadi

ଏହି ଉଦ୍ଦୀୟମାନ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଯେଉଁ ଡେୟାରିଂ କାର୍ଯ୍ୟ ପାଇଁ ଦିନେ ସେ ରାଜ୍ୟ ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠ ଓ ଶୀର୍ଷ ସ୍ଥାନ ନେଇଥିଲେ ଆଜି ସେହି ନିର୍ଭିକ ଓ ଦୁଃସାହସିକ କାର୍ଯ୍ୟ ତାଙ୍କ ମୃତ୍ୟୁର କାରଣ ହୋଇଛି । ଏଭଳି ଆକଷ୍ମିକ ଓ ମର୍ମାହତକାରୀ ଖବର ଚିନ୍ତା ଚେତନାକୁ ଭାରାକ୍ରାନ୍ତ କରି ଦେଇଛି । ତେବେ ଏହି ମହାନ ସାମ୍ବାଦିକଙ୍କ ବିୟୋଗରେ ତାଙ୍କ ଚିର ସ୍ମରଣୀୟ କାର୍ଯ୍ୟକୁ ଆମ ରିପୋର୍ଟରସ୍ ଟୁଡେ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।