ଭୁବନେଶ୍ୱର/ସରୋଜ ରାଉତ: କୋଭିଡ ନିୟମ ଉଲ୍ଲଙ୍ଘନକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ । କାର୍ଯ୍ୟାଳୟ ସିଲ ପରେ ଅପରାଜିତା ଟାର୍ଗେଟ କରିଛନ୍ତି ବିଜେଡି ତଥା ସରକାରକୁ । ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେଡି ବିରୋଧରେ ଅନର୍ଗଳ ବିଷ ଉଗାଳିଛନ୍ତି । କଥାରେ ନାହିଁ ଚୋର ମୁହଁ ଟାଣ । ନିଜେ ତ ନିୟମ ଉଲ୍ଲଙ୍ଘନ କଲ ସେଲାଗି ପଦକ୍ଷେପ ନିଆଗଲା, ତା ଉପରେ ଏ କି ଅଦ୍ଭୁତ ଯୁକ୍ତି ।
ସାଂସଦ ଭୁଲିଯାଉଛନ୍ତି, ସେ ଖାଲି ଜଣେ ରାଜନେତା ନୁହଁନ୍ତି, ଜଣେ ସଚେତନ ନାଗରିକ, ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । ସେ ଆଜିର ଯୁବ ପିଢି ପାଇଁ ଜଣେ ଦିଗଦ୍ରଷ୍ଟା, ଆଦର୍ଶ । କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରି ରଖିଛି । ଏପର୍ଯ୍ୟନ୍ତ ମହାମାରୀର କୌଣସି ଟୀକା ବା ଔଷଧ ବାହାରି ନାହିଁ । ସଚେତନତା ହିଁ କେବଳ ରକ୍ଷା କରିବ ଜୀବନ । ତେଣୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସାଂସଦ ଆଜି କହିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ନିୟମ ପ୍ରଣୟନ କରିଛନ୍ତି । ଆମେ ଜାଣୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସାଂସଦଙ୍କର ସମ୍ମାନ ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀ ପ୍ରଣୟନ କରିଥିବା ଆଇନକୁ କିପରି ଗ୍ରହଣ କରୁ ନାହାନ୍ତି ସାଂସଦ ।
ସେ ଆଜି କହିଛନ୍ତି ଆମକୁ ଏହି ଆଇନର ପାଳନ କରିବାକୁ ହେବ । ତେବେ ତାଙ୍କ କଥା ଓ କାମରେ ଟିକେ ହେଲେ ବି ତାଳମେଳ ରହୁନାହିଁ । ସେ ଜଣେ ସାଂସଦ ହୋଇଥିବାରୁ ସମାଜ ପ୍ରତି ତାଙ୍କର ଉତ୍ତର ଦାୟିତ୍ୱ ରହିଛି । କିନ୍ତୁ ସାଂସଦ ନିଜ ପଦର ମର୍ଯାଦା ରଖୁନଥିବା ପରି ମନେ ହେଉଛି । କେବଳ ଜନ୍ମ ଦିନ ପାଳନ ନୁହେଁ । କୋଭିଡ କଟକଣା ଜାରି ହେବା ପରଠାରୁ ଯେତେବେଳେ ବି ସାଂସଦଙ୍କୁ ଦେଖାଯାଇଛି, କୌଣସି ଠାରେ ତାଙ୍କ ମୁହଁରେ ମାସ୍କ ନ ଥାଏ । ଏହା କି ପ୍ରକାର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ? ଏ କି ପ୍ରକାର ନିୟମର ପାଳନ? ସାଂସଦ ନିଜ କର୍ମରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରି ଅନ୍ୟମାନଙ୍କୁ ସତପଥରେ ବ୍ରତୀ କରାଇବା ସାଂସଦଙ୍କ କର୍ତ୍ତବ୍ୟ । ସେ ନିଜର ଭୁଲ ନ ଦେଖି, ନିଜ ଭୁଲ ପାଇଁ ଲଜିତ ନ ହୋଇ ଓଲଟା ଅନ୍ୟମାନଙ୍କ ଭୁଲକୁ ଅଙ୍ଗୁଳି ଦେଖାଉଛନ୍ତି । ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ ।
ସମସ୍ତ ରାଜନେତା ଯୁବପିଢି ପାଇଁ ମାର୍ଗଦର୍ଶକ । କିନ୍ତୁ ଅପରାଜିତାଙ୍କ ପରି ସାଂସଦଙ୍କଠୁ ସମାଜକୁ ଅଧିକ କିଛି ଆଶା ଥାଏ । କାରଣ ଏମାନେ ସୁଶିକ୍ଷିତ । ଏମାନେ ବିବେକବାନ । ହେଲେ ଯେତେବେଳେ ରାଜନୀତିକୁ ଆସି ଏମାନେ ଏମାନଙ୍କ ମୂଳ ଆଦର୍ଶରୁ ଓହରି ଯାଆନ୍ତି ସେତେବେଳେ ଅନେକ ପ୍ରଶ୍ନ, ଅନେକ ସମାଲୋଚନାର ସାମ୍ନା କରିବାକୁ ହୁଏ । ଯେତେବେଳେ ଅପରାଜିତା ଷଡଙ୍ଗି ସାଂସଦ ଭାବେ ଠିଆହୋଇଥିଲେ, ସେତେବେଳେ ଲୋକଙ୍କର ତାଙ୍କ ଉପରେ ଥିଲା ବହୁ ବିଶ୍ୱାସ । ମାଡାମ ଜିତିଲେ ସେମାନଙ୍କ ଦୁଃଖ ଦୂର ହେବ । କିନ୍ତୁ ବର୍ତ୍ତମାନ ମାଡାମ ଲୋକଙ୍କ ଦୁଃଖ ଦୂରକରିବା ତ ଦୂରର କଥା ଲୋକଙ୍କ ସୁଖ ଦୁଖରେ ରହିବା ପରି ମନେ ହେଉ ନାହିଁ ।
ପ୍ରଶାସିକା ରହିବା ସମୟରେ ମାଡାମଙ୍କୁ ଗଣମାଧ୍ୟମକୁ ବାଇଟ ଦେବାର କମ ଦେଖିବାକୁ ମିଳୁଥିଲା । ସେ ଏକ ପ୍ରକାର ଗଣମାଧ୍ୟମଠୁ ଦୂରେଇ ରହୁଥିଲେ । କିନ୍ତୁ ରାଜନୀତିକୁ ଆସିବା ପରେ ମାଡାମଙ୍କୁ ସବୁ ସମୟରେ ଗଣମାଧ୍ୟମରେ ଛାୟି ରହିଥିବା ଦେଖିବାକୁ ମିଳୁଛି । ସତେ ଯେମିତି ଗଣମାଧ୍ୟମ ନିଶା ଘାରିଛି ମାଡାମଙ୍କୁ । ସେ ଭୁବନେଶ୍ୱରରେ ଥାଆନ୍ତୁ ଅବା ଦିଲ୍ଲୀରେ, ସବୁଠି ଗଣମାଧ୍ୟମରେ ଆସୁଛନ୍ତି । ଏସବୁ ଦେଖି ଲାଗୁଛି, ବିଜେପିରେ ଯୋଗ ଦେବା ପରେ ମାଡାମ ପୁରା ବିଜେପି ରଙ୍ଗରେ ନିଜକୁ ରଙ୍ଗେଇ ଦେଇଛନ୍ତି । ଗଣମାଧ୍ୟମ ଓ ବିଜ୍ଞାପନ ସର୍ବସ୍ୱ ହୋଇଯାଇଛନ୍ତି ମାଡାମ । କାମ ଅପେକ୍ଷା ବିଜେପିର ବିଜ୍ଞାପନ ଥିଓରିକୁ ଆପଣେଇ ନେଇଛନ୍ତି ।