ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଶ୍ରୀକୃଷ୍ଣ ଚୈତନ୍ୟ ସଙ୍କୀର୍ତ୍ତନ ସଂଘର ପଞ୍ଚମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ଜଳ ଶିକ୍ଷକ ତଥା କଳାକାର ନାରାୟଣ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସଭାପତି ଦାମୋଦର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ଲବ ସାହୁ ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗ୍ରାମର ଗୌନ୍ତିଆ ରାଧାନାଥ ହୋତା, ଗ୍ରାମର ସଭାପତି ଦୟାନିଧ୍ ହୋତା ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ଧର୍ମ ଓ ବିଶ୍ଵ ଶାନ୍ତି ଉପରେ ଆଲୋଚନା କରିବା ସହ ସଙ୍କୀର୍ତ୍ତନ ଦ୍ବାରା ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ରାଧେଶ୍ୟାମ ସାହୁ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଗୌତମ ଦେହେରୀ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପର୍ଶୁରାମ ମହାକୁର ସଭା ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ କମିଟିର ସଭାପତି ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲାର ୬ଟି ମହିଳା ଦଳକୁ ମିଶେଇ ମୋଟ ୫୫ଟି ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଂଘର ଉପଦେଷ୍ଟା କମିଟିର ସନ୍ତୋଷ ସାହୁ, ଉପସଭାପତି ସୁରେନ୍ଦ୍ର ପୁରୋହିତ, ସହସମ୍ପାଦକ ରଞ୍ଜନ ପଧାନ, ଅରକ୍ଷିତ ପାଢ଼ୀ, ସନ୍ତୋଷ ପଣ୍ଡା, ପର୍ଶୁରାମ ବାରିକ, ଶଶିକାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଙ୍କୀର୍ତ୍ତନ କଳାକାର ଉପେନ୍ଦ୍ର ହୋତା, ମଉଜ ଭୋଇ, ସୁଦାମ ସେଠୀ, ଫଗୁନୁ ମେହେର, ପର୍ଶୁରାମ ବାରିକ, ପ୍ରମୋଦ ପୂର୍ଣନନ୍ଦ ଦାସ ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସଭା ଆରମ୍ଭରେ ପରମେଶ୍ୱରୀ ଓ ମାହେଶ୍ୱରୀ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ଏକ ଶୋଭାଯାତ୍ରା ସହକାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିରେ ସମସ୍ତ ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ ।