ଶ୍ରୀନଗର: ପୁଣିଥରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଫାୟାରିଙ୍ଗରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ସୂଚନା ଅନୁଯାୟୀ ଜମ୍ମୁ-କଶ୍ମୀରର ପୁଞ୍ଛ ଅଞ୍ଚଳରେ ଭାରତୀୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି। ଭାରତୀୟ ଯବାନ ମାନଙ୍କ ଦ୍ଵାରା ଏଠାରେ ସର୍ଚ୍ଚ ଅପରେସନକୁ କରାଯାଉଥିବା ବେଳେ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ। ତେବେ ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ। କିନ୍ତୁ ଏହି ଗୁଳି ଚାଳନା ମଧ୍ୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କକୁ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି। ଗତ କିଛି ଦିନ ହେଲା ଏଠାରେ ବାରମ୍ବାର ଏକାଉଣ୍ଟର ହେଉଛି। ଏହା ସତ୍ତ୍ଵେ ଏବେ ବି ଏଠାରେ କିଛି ଆତଙ୍କକୁ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।