ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଛି, ରିପୋର୍ଟ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର-: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି । ଛାତ୍ରୀ ଜଣକ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।

ସେ କହିଛନ୍ତି ପୀଡିତ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଆଗାମୀ ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ । ତେବେ ଆଜି ଦିଲ୍ଲୀରୁ ଫେରି  ପୀଡ଼ିତାଙ୍କୁ ଭେଟିବାକୁ ଏମ୍ସ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହର ଚରଣ ମାଝୀ । ଦିଲ୍ଲୀରୁ ଫେରିବା ପରେ ସେ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଛି ଏବଂ ରିପୋର୍ଟ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ସରକାର ଯତ୍ନବାନ ହେଉଛନ୍ତି । କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ରାଗିଙ୍ଗ, ଯୌନ ନିର୍ଯାତନା ନ ଘଟିବ ସେ ନେଇ ଆଗୁଆ ପଦକ୍ଷେପ ନେବାକୁ ସରକାର ନିଷ୍ପତି ନେଉଛନ୍ତି ।