ଗୁଣୁପୁର ଉପଖଣ୍ଡକୁ ଜିଲ୍ଲା ଦାବିରେ ସର୍ବଦଳୀୟ ଶୋଭାଯାତ୍ରା

ରାୟଗଡ଼ା : ଗୁଣୁପୁର ଉପଖଣ୍ଡକୁ ଜିଲ୍ଲା,ବିଷମକଟକକୁ ଉପଖଣ୍ଡ,ପଦ୍ମପୁର ବ୍ଲକକୁ ଏନ ଏ ସି ମାନ୍ୟତା ପ୍ରଦାନ କରିବା ଦାବୀ ଜୋର ଧରିଛି । ଆଜି ଗୁଣୁପୁର ଠାରେ ଏନେଇ ଏକ ସର୍ବ ଦଳୀୟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁରୁଣା ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଜନସାଧାରଣ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।ଏହି ଶୋଭାଯାତ୍ରାରେ ଗୁଣୁପୁର ସମେତ ଆଖପାଖ ବ୍ଲକର ସଚେତନ ନାଗରିକ ଯୋଗ ଦେଇଥିଲେ । ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ତିନି ଦଶନ୍ଧିର ସର୍ବ ପୁରାତନ ଦାବୀ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତି କୁ କିଭଳି ଅଣଦେଖା କରୁଛନ୍ତି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯୯୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ ରୁ ୩୦ ଜିଲ୍ଲା ଗଠନ କରିଥିଲେ । ସେତେବେଳେ ଅବିଭକ୍ତ କୋରାପୁଟକୁ ଭାଗ କରାଯାଇ ରାୟଗଡା ଜିଲ୍ଲା ସୃଷ୍ଟି କରାଯାଇଥିଲା ।

ସେତେବେଳେ ଭୌଗଳିକ, ଦୂରତା ଦୃଷ୍ଟି କୋଣରୁ ଗୁଣୁପୁର ବାସୀଙ୍କ ପାଇଁ ରାୟଗଡା (୮୦ କିମି)ବହୁ ଦୂରରେ ରହିଥିଲା । ତେଣୁ ଗୁଣୁପୁର ଉପଖଣ୍ଡର ୭ ଗୋଟି ବ୍ଲକକୁ ନେଇ ସ୍ୱତନ୍ତ୍ର ଗୁଣୁପୁର ଜିଲ୍ଲା ଗଠନ ପାଇଁ ଅଞ୍ଚଳବାସୀ ଦାବୀ କରି ଆସୁଥିଲେ । ଏନେଇ ଆନ୍ଦୋଳନ, ଅନଶନ ମଧ୍ୟ ଗୁଣୁପୁର ରେ ହୋଇଥିଲା । ଯାହାକି ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏନେଇ ଅଞ୍ଚଳବାସୀ ବିଜୁ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଆଲୋଚନା ମଧ୍ୟ କରିଥିଲେ । ତେବେ ଯଦି ରାଜ୍ୟରେ ୩୧ ତମ ଜିଲ୍ଲା ହୁଏ ତେବେ ଗୁଣୁପୁରକୁ ଅଗ୍ରାଧିକାର ଦିଆଯିବ ବୋଲି ବିଜୁବାବୁ ଅଭୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ୩୧ ତମ ଜିଲ୍ଲା ଭାବେ ବର୍ତ୍ତମାନ ପଦ୍ମପୁରକୁ ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ, ନୂତନ ଜିଲ୍ଲା ଗଠନ ପ୍ରକ୍ରିୟାରେ ଗୁଣୁପୁରର ନାମ ନଥିବା ଖୋଦ ବିଧାନସଭାରେ ରାଜସ୍ଵ ମନ୍ତ୍ରୀ ଘୋଷଣା କରିଛନ୍ତି । ଯାହାକି ଅଞ୍ଚଳବାସୀଙ୍କ ପାଇଁ କ୍ଷୋଭ ଓ ପରିତାପର ବିଷୟ ପାଲଟିଛି । ଗୁଣୁପୁର ଜିଲ୍ଲା ଗଠନ ଦାବୀର ଯଥାର୍ଥତା ରହିଛି । ବର୍ତ୍ତମାନ ରାୟଗଡା ଜିଲ୍ଲାର କ୍ଷେତ୍ରଫଳ ବହୁତ ବଡ଼, ତା ତୁଳନାରେ କମ କ୍ଷେତ୍ରଫଳ ଥିବା ସ୍ଥାନକୁ ଜିଲ୍ଲା ମାନ୍ୟତା ଦିଆଯାଇଛି ।

ଗୁଣୁପୁର ଠାରୁ ରାୟଗଡା ୮୦ କିଲୋମିଟର ଘାଟି ରାସ୍ତା ଦେଇ ଯିବାକୁ ହୁଏ । ଯାହା ଫଳରେ ଜିଲ୍ଲା ପ୍ରଶାସନ ଏତେବଡ ଆୟତନ ବିଶିଷ୍ଟ ଜିଲ୍ଲାରେ ଶାସନ ବ୍ୟବସ୍ଥା ପରିଚାଳନା କରିବା ସମ୍ଭବ ହେଉନାହିଁ । ଏହାଛଡା ଗୁଣୁପୁରରେ ଉତ୍ତମ ଗମନାଗମନ, ରେଳବାଇ, ଶିକ୍ଷା, ବଜାର ବ୍ୟବସ୍ଥା ସବୁକିଛି ଭିତ୍ତିଭୂମି ସୁଦୃଢ ରହିଛି ।ତେଣୁ ଉପଖଣ୍ଡର ୭ ଗୋଟି ବ୍ଲକକୁ ନେଇ ଜିଲ୍ଲା ଓ ବିଷମକଟକକୁ ଉପଖଣ୍ଡ ମାନ୍ୟତା ଯଥାର୍ଥତା ରହିଛି । ସେହିଭଳି ପଦ୍ମପୁର ଓ ମୁନିଗୁଡା ସହରକୁ ଏନ ଏ ସି ଓ ଗୁଡାରିକୁ ପୌର ପରିଷଦ ମାନ୍ୟତା ପ୍ରଦାନ କରିବା ପାଇଁ ଦାବୀ ଜୋର ଧରିଛି । ଆଜିର ଶୋଭାଯାତ୍ରାରେ ଗୁଣୁପୁର ଓକିଲ ସଂଘ, ପ୍ରେସ କ୍ଳବ, ପ୍ରେସ ୟୁନିୟନ, କଳିଙ୍ଗ ସାମ୍ବାଦିକ ସଙ୍ଘ, ବଣିକସଙ୍ଘ, ବିଜେଡି ନେତା ଅଶ୍ୱିନୀ ଗମାଙ୍ଗ,ବିଷ୍ଣୁ ପଣ୍ଡା,ରାମ ପଣ୍ଡା, ଏସ ବାବା ପ୍ରସାଦ, କଂଗ୍ରେସ ନେତା ବିଜୟ ଗମାଙ୍ଗ, ତରଣୀ, ବିଜେପିର ଶ୍ରୀନିବାସ ସ୍ୱାଇଁ, ପୃଥ୍ୱୀରାଜ ପାଢ଼ୀ,ଗୁଣୁପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼,ନବ ନିର୍ମାଣ ସମିତି ଅଧ୍ୟକ୍ଷ ଅକ୍ଷୟ ଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ, ସଙ୍ଗଠନ,ସଚେତନ ନାଗରିକ ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ ।