ଜଗି ହତ୍ୟା ମାମଲାରେ ଅମିତ ଜୋଗୀଙ୍କୁ ଆଜୀବନ କାରାଦଣ୍ଡ: ଛତିଶଗଡ଼ ହାଇକୋର୍ଟର ଐତିହାସିକ ରାୟ

Chhattisgarh: ଛତିଶଗଡ଼ ହାଇକୋର୍ଟ ବହୁଚର୍ଚ୍ଚିତ ଜଗି ହତ୍ୟା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଜୋଗୀଙ୍କ ପୁଅ ଅମିତ ଜୋଗୀଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ୨୦୦୭ରେ ଟ୍ରାୟଲ କୋର୍ଟ ଦେଇଥିବା ଖଲାସ ରାୟକୁ ବଦଳାଇ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଅନ୍ୟ ୨୮ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।

ଛତିଶଗଡ଼ ହାଇକୋର୍ଟର ଡିଭିଜନ ବେଞ୍ଚ ଏହି ରାୟ ଶୁଣାଇଥିଲେ। କୋର୍ଟ ମତ ଦେଇଛନ୍ତି ଯେ, ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ପୂର୍ବରୁ ମୁକ୍ତ କରାଯିବା ଆଇନଗତ ଭୁଲ୍ ଥିଲା। ଅମିତ ଜୋଗୀଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ସହିତ ୧,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି।

ଏହି ମାମଲା ୨୦୦୩ ମସିହାର, ଯେତେବେଳେ ଏନସିପିର ବରିଷ୍ଠ ନେତା ରାମ ଅବତାର ଜଗିଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ୩୧ ଜଣଙ୍କୁ ଅଭିଯୁକ୍ତ କରିଥିଲା। ୨୦୦୭ରେ ରାୟପୁର ଟ୍ରାୟଲ କୋର୍ଟ ୨୮ ଜଣଙ୍କୁ ଦୋଷୀ କରିଥିବା ବେଳେ ପ୍ରମାଣ ଅଭାବରୁ ଅମିତ ଜୋଗୀଙ୍କୁ ମୁକ୍ତ କରାଯାଇଥିଲା।

ପରେ ଜଗିଙ୍କ ପୁଅ ସତୀଶ ଜଗି ମାମଲାଟିକୁ ଆଇନଗତ ଭାବେ ଆଗକୁ ନେଇଥିଲେ ଏବଂ ଶେଷରେ ମାମଲା ପୁଣିଥରେ ହାଇକୋର୍ଟରେ ଶୁଣାଣି ହୋଇଥିଲା।

ରାୟ ପରେ ଅମିତ ଜୋଗୀ କହିଛନ୍ତି ଯେ, ତାଙ୍କ ସହ ଅନ୍ୟାୟ ହୋଇଛି ଏବଂ ସେ ସୁପ୍ରିମକୋର୍ଟର ଶରଣ ନେବେ। ଅନ୍ୟପଟେ ସତୀଶ ଜଗି ଏହି ରାୟକୁ ସ୍ୱାଗତ କରି କହିଛନ୍ତି ଯେ, ଦୀର୍ଘ ୨୦ ବର୍ଷର ଲଢ଼େଇ ପରେ ନ୍ୟାୟ ମିଳିଛି।