ବ୍ୟୁରୋ-: ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି । ଏପ୍ରିଲ୨କୁ ମୁକ୍ତି ଦିବସ ଓ ଏହି ଦିନ ଆମେରିକା ଶିଳ୍ପର ପୁନର୍ଜନ୍ମ ହୋଇଥିବା କହିଛନ୍ତି । ଟ୍ରମ୍ପ ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିବା ବେଳେ ଚୀନ୍ ଉପରେ ୩୪ପ୍ରତିଶତ, ପାକିସ୍ତାନ ଉପରେ ୨୯ପ୍ରତିଶତ, ଶ୍ରୀଲଙ୍କା ଉପରେ ୪୪ପ୍ରତିଶତ ଓ ୟୁରୋପୀୟ ସଂଘ ଉପରେ ୨୦ପ୍ରତିଶତ ଟିକସ ଲଗାଇଛନ୍ତି ।
ବୁଧବାର ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି । ଏହି ଅବସରରେ ସେ ଦେଇଥିବା ଭାଷଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଭାରତ ଉପରେ ଶୁଳ୍କ ଲାଗୁ ଟ୍ରମ୍ପ କହିଥିଲେ, ମୋଦୀ ହେଉଛନ୍ତି ତାଙ୍କର ମହାନ ବନ୍ଧୁ । ସେଥିପାଇଁ ନୂଆଦିଲ୍ଲୀ ଉପରେ ଶୁଳ୍କରେ ରିହାତି କରି ୨୬ ପ୍ରତିଶତ ଲାଗୁ କରାଯାଇଛି। ସେ ଏହା ମଧ୍ୟ କହିଥିଲେ, ଭାରତ ଅତ୍ୟନ୍ତ କଠୋର । ପ୍ରଧାନମନ୍ତ୍ରୀ ମୋଦୀ ଏବେ ନିକଟରେ ଆମେରିକା ଆସି ସ୍ଵଦେଶ ଫେରିଛନ୍ତି । ଭାରତ ଆମ ଉପରେ ୫୨ ପ୍ରତିଶତ ଶୁଳ୍କ ଲାଗୁ କରୁଛି । କିନ୍ତୁ ଭାରତକୁ ଦେଖିଲେ ଆମେ ତାଙ୍କ ଉପରେ ଦଶନ୍ଧି ଦଶନ୍ଧି ଧରି ପ୍ରାୟତଃ କିଛି ଶୁଳ୍କ ଲାଗୁ କରିନାହୁଁ ।
ବିଶେଷଜ୍ଞଙ୍କ ମତରେ, ପାଲଟା ଟିକସର ସର୍ବାଧିକ ପ୍ରଭାବ ଅଟୋମୋବାଇଲ୍, ଔଷଧ, ଜୁଏଲରୀ, ବସ୍ତ୍ର ଉଦ୍ୟୋଗ ଉପରେ ପଡିପାରେ । ୨୦୨୩-୨୪ରେ ଭାରତରୁ ପ୍ରାୟ ୩ଲକ୍ଷ କୋଟି ଟଙ୍କାର ଲୁଗା ରପ୍ତାନୀରେ ଆମେରିକାର ୨୮ପ୍ରତିଶତ ଭାଗିଦାରୀ ରହିଥିଲା । ବର୍ଷ ବର୍ଷ ଧରି ଏହି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବଢିଛି । ଭାରତୀୟ ଔଷଧର ବଡ଼ ବଜାର ରହିଆସିଛି ଆମେରିକା । ତେଣୁ ଟିକସ ବୃଦ୍ଧି ପରେ ଔଷଧ ରପ୍ତାନୀ କମିପାରେ । ସେହିପରି ଆଇଟି କ୍ଷେତ୍ର ଉପରେ ବି ଟ୍ରମ୍ପଙ୍କ ଟାରିଫ ଛାଟର ପ୍ରଭାବ ପଡ଼ିବ ।