ଭୁବନେଶ୍ୱର-: ଭୁବନେଶ୍ୱରରେ ପଦାରେ ପଡିଲା ବିଜେଡି କନ୍ଦଳ । ରାତି ଅଧରେ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଅମରେଶ ଜେନାଙ୍କ ସମର୍ଥକ । ଖାରବେଳ ନଗର ସ୍ଥିତ ବାସଭବନରେ ପ୍ରବଳ ହୋହଲ୍ଲା ଦେଖାଦେଇଛି । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ବାଦ ପଡିଛନ୍ତି ଅମରେଶ । ଦଳର କାର୍ଯ୍ୟକାରିଣୀରୁ ଅମରେଶ ଜେନା ବାଦ୍ ପଡ଼ିବା ନେଇ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଛନ୍ତି ଅମରେଶଙ୍କ ସମର୍ଥକ ।
ସେପଟେ ଅମରେଶ କହିଛନ୍ତି, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନାହିଁ । ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି । ସେମାନେ ଯାହା କହୁଛନ୍ତି, ଏମାନେ ସେଇୟା କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୂରାଉଛନ୍ତି । ୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ହେଲେ ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି । ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି । ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି । ଏହି ୪/୫ ଜଣଙ୍କ ଯୋଗୁଁ ଆମ ସରକାର ବଦନାମ ହେଲା । ବିଜେଡିକୁ କବଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି । ଦ୍ୱିତୀୟ କ୍ଷମତାକେନ୍ଦ୍ରରେ କିଏ ରହିବ ସେ ନେଇ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି । ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ଭାବେ ବୁଡ଼ାଇ ଦେବେ । ହାରିବା ପରେ ବି ସେମାନେ ନିଜକୁ ମନ୍ତ୍ରୀ ବୋଲି ଭାବୁଛନ୍ତି । ଦଳର କ୍ଷତି କରୁଥିବା ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି ।