ଶିବଭକ୍ତଙ୍କ ପାଇଁ ଖୁସି ଖବର । ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଏପର୍ୟ୍ୟନ୍ତ ୩ ଲକ୍ଷ ତୀର୍ଥଯାତ୍ରୀ ଆଗୁଆ ରେଜିଷ୍ଟ୍ରେସନ କରିସାରିଛନ୍ତି । ଭଗବତୀ ନଗରରୁ ପ୍ରଥମ ପର୍ୟ୍ୟାୟରେ ଅମରନାଥ ଯାତ୍ରା ଆରମ୍ଭ ହେବ । ଶ୍ରୀ ଅମରନାଥ ଶ୍ରୀରିନ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଜମ୍ମୁ କଶ୍ମୀରର ପ୍ରବେଶଦ୍ୱାର ଲଖନପୁର ଠାରୁ ଆରମ୍ଭ କରି କାଶ୍ମୀର ପର୍ୟ୍ୟନ୍ତ ବୁନିଆଦୀ ଢାଞ୍ଚା ସହିତ ଅନ୍ୟ ସମସ୍ତ ସୁବିଧା କରାଯାଇଛି । ଚଳିତବର୍ଷ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ସାମିଲ ହେବାର ସମ୍ଭାବନା ରହିଛି । ଏହାସହିତ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ ଦ୍ବାରା ଜାରି ବାର୍ଷିକ ଯାତ୍ରା ପାଇଁ ଖାଦ୍ୟ ସାମଗ୍ରୀ ଉପରେ ନିଷେଧାଦେଶ କରାଯାଇଛି । ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଆପଣ ଥଣ୍ଡା ପାନୀୟ, କ୍ରଞ୍ଚି ସ୍ନାକ୍ସ, ଫ୍ରେଞ୍ଚ ଫ୍ରାଇଜ ଏବଂ ଫାଷ୍ଟଫୁଡ୍ ସାମଗ୍ରୀ, ଜିଲାପି ଏବଂ ହାଲୱା ପରି ଅଧିକ ମିଠା ଏବଂ ଅମରନାଥ ତୀର୍ଥଯାତ୍ରାରେ ଛୋଲେ ଭଟୁରେ ନେଇପାରିବେ ନାହିଁ। ଏହି ଖାଦ୍ୟ ସବୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ବୋଲି ବୋର୍ଡ କହିଛି ।
ଏଥିପାଇଁ ଏକ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି, ଯାହା ତୀର୍ଥଯାତ୍ରୀ ଏବଂ ସେବା ପ୍ରଦାନକାରୀଙ୍କୁ ଖାଦ୍ୟ ପରିବେଷଣ ତଥା ବିକ୍ରୟ କରିବା ପାଇଁ ଯାତ୍ରା ଅଞ୍ଚଳରେ ଆସୁଥିବା ଲଙ୍ଗର ସଂଗଠନ, ଖାଦ୍ୟ ଷ୍ଟଲ୍, ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ। ତୀର୍ଥଯାତ୍ରୀମାନଙ୍କୁ ୧୪ କିଲୋମିଟର ଲମ୍ୱା ଟ୍ରାକରେ ଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀଠାରୁ ଦୂରରେ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।
ଗତବର୍ଷ ୪୪ ଦିନ ଯାତ୍ରା ମଧ୍ୟରେ ପାଖାପାଖି ୨୦ ଦିନ ଖରାପ ପାଣିପାଗ ରହିଥିଲା । ଯେଉଁଥିପାଇଁ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୨୦୨୨ ମସିହାରେ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ପ୍ରାୟ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏବେ ଯାତ୍ରା କରିବା ପାଇଁ ବୟସ ନିର୍ଦ୍ଧାରିତ କରାଯାଇଛି। ୧୩ ବର୍ଷରୁ କମ୍ ଏବଂ ୭୫ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ ଅମରନାଥ ଯାତ୍ରାରେ ଯିବାକୁ ଅନୁମତି ଦିଆଯିବ ନାହିଁ। ଏଥର ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏଠାରେ ସିଆରପିଏଫଙ୍କ ସ୍ଥାନରେ ଆଇଟିବିପି ଯବାନଙ୍କୁ ନିୟୋଜିତ କରାଯାଇଛି । ଏମାନେ ପାହାଡ ପର୍ବତରେ ଘଟୁଥିବା ସମସ୍ତ ବିପଦ ପାଇଁ ଟ୍ରେନିଂ ନେଇଥାନ୍ତି ।ଆଇଟିବିପି ଯବାନ ରାସ୍ତା ମଧ୍ୟରେ ନିୟୋଜିତ ରହିବେ । ଏହାପୂର୍ବରୁ ସୁରକ୍ଷା ପାଇଁ ସିଆରପିଏଫ ଯବାନ ଅମରନାଥ ଯାତ୍ରାରେ ସୁରକ୍ଷା ପାଇଁ ନିୟୋଜିତ ରହୁଥିଲେ ।