ଯାଜପୁର:- ଏବେ ଓଡିଶାରେ ଲଗାତାର କିଛି ଦିନ ହେବ ଚାରିଆଡୁ ଖାଲି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଘଟଣା ଆଉ ତାପରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ବଳଙ୍ଗାର ଯୁକ୍ତ ଦୁଇ ଛାତ୍ରୀଙ୍କୁ ପୋଡିବା ଘଟଣା ମନରୁ ନ ଲିଭୁଣୁ ଆଜି ଯାଜପୁରରୁ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ହକି ଷ୍ଟାଡିୟମର କ୍ରୀଡା କୋଚ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଦ୍ଵାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।
ଖବର ମୁତାବକ, ଛାତ୍ରୀ ଜଣକ ୨ ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ । ଗତ ୩ ତାରିଖ ସନ୍ଧ୍ୟାରେ କୋଚ ଓ ତାଙ୍କ ଦୁଇ ସହଯୋଗୀ ରାସ୍ତାରୁ ଛାତ୍ରୀଙ୍କୁ ଉଠାଇ ନେଇ ଲଜରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କ ନାଁରେ ଟାଉନ ଥାନାରେ ପୀଡିତ ଅଭିଯୋଗ କରିବା ପରେ ହକି କୋଚଙ୍କୁ ଉଠାଇ ନେଇଛି ଯାଜପୁର ଟାଉନ ଥାନା ପୋଲିସ । ପୀଡିତାଙ୍କ ବୟାନ ଜିଲ୍ଲା କୋର୍ଟରେ ରେକର୍ଡ ହୋଇଛି । ତେବେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫରାର ରହିଛି ।