ଅଙ୍ଗନୱାଡି କର୍ମୀ ଓ ସହାୟିକା ଚୟନରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ

ବସ୍ତା-: ପୁଣି ବିବାଦରେ ବସ୍ତାର ପୂର୍ବତନ ସିଡିପିଓ ଦୀପ୍ତି ରାଣୀ ସିଂ। ପୂର୍ବରୁ ଅଙ୍ଗନୱାଡି କର୍ମୀ ଓ ସହାୟିକା ଚୟନରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ରହିଥିଲା । ଏବେ ପୁଣି ଚାକିରିର ଶେଷ ଦିନରେ ଅର୍ଥାତ୍ ଅବସର ଦିନ  ଜିଲ୍ଲା ପ୍ରଶାସନ ଓ ଉପଜିଲ୍ଲାପାଳଙ୍କ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ବହିଷ୍କୃତ ହୋଇଥିବା ଅଙ୍ଗନୱାଡ଼ି ସହାୟିକାଙ୍କୁ ପୁନଃ ନିଯୁକ୍ତି ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ଅବସର ପ୍ରାପ୍ତ ଦିପ୍ତିରାଣୀ ସିଂ।

ଅଭିଯୋଗ ମୁତାବକ ଗତ ନଭେମ୍ବର ମାସରେ ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ଅଙ୍ଗନୱାଡ଼ି କର୍ମୀ ପାଇଁ  ସହାୟିକା ଚୟନ କରାଯାଇଥିଲା । ଏଥିରେ ଛଅ ଜଣ ଆବେଦନକାରୀ ଥିବା ବେଳେ, ଅଧିକ ନମ୍ୱରରେ ସସ୍ମିତା ପାଢ଼ୀଙ୍କୁ ଚୟନ କମିଟି ଚୟନ କରିବା ସହିତ ବସ୍ତା ସିଡିପିଓ ତାଙ୍କୁ ନିଯୁକ୍ତି ମଧ୍ୟ ଦେଇଥିଲେ । ଏନେଇ ସଂଗୀତା ମହାପାତ୍ର ଓ ପ୍ରତିଭା ନାୟକ ଆର.ଟି.ଆଇ ରେ ସସ୍ମିତାଙ୍କ ଶିକ୍ଷା ଗତ ଯୋଗ୍ୟତା ଓ ନିଯୁକ୍ତି ସମ୍ପର୍କୀୟ ତଥ୍ୟ ମାଗିଥିଲେ । ଏଥିରେ ସସ୍ମିତା ଦେଇଥିବା ସାର୍ଟିଫିକେଟରେ  ପ୍ରକୃତ ମାର୍କ ୩୭୪ ପରିବର୍ତ୍ତେ ଚଞ୍ଚକତା କରି ୫୯୯ ମାର୍କ ଦର୍ଶାଇ ନକଲି ସାର୍ଟିଫିକେଟ ଓ ଜାଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ସର୍ବାଧିକ ୯୦.୫୭ ପଏଣ୍ଟ ରଖି ଚୟନ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏନେଇ ଦରଖାସ୍ତକାରୀ ବାଲେଶ୍ଵର ଉପଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶେଖରଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇ ଉଚିତ କାର୍ଯ୍ୟାନୁଷ୍ଠାନ ସହିତ ନ୍ୟାୟ ପାଇଁ ଆବେଦନ କରିଥିଲେ । ମାମଲାରେ ଉପଜିଲ୍ଲାପାଳ ସସ୍ମିତା ପାଢ଼ୀଙ୍କ ନିଯୁକ୍ତିକୁ ଅବୈଧ ଘୋଷଣା କରିବା ସହିତ ବହିଷ୍କୃତ କରି ପୁନଃ ନୂତନ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବସ୍ତା ସିଡିପିଓ ଦୀପ୍ତି ରାଣୀ ସିଂ ଉକ୍ତ ନିର୍ଦ୍ଦେଶ  ଅଣଦେଖା କରି, ତରବରିଆ ଭାବେ ଜୁନ ୩୦ ତାରିଖ ଚାକିରିର ଶେଷ ଦିନରେ ଅବସର ନେବା ପୂର୍ବରୁ ମନମୁଖୀ ଭାବେ ପୁଣି ସସ୍ମିତା ପାଢ଼ୀଙ୍କୁ ନିଯୁକ୍ତି ଦେଇଥିବା କଥା ସାମ୍ନା କୁ ଆସିଛି । ଏନେଇ ସଂଗୀତା ମହାପାତ୍ର ଓ ପ୍ରତିଭା  ନାୟକ ନିଯୁକ୍ତି ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା  ସହିତ  ବସ୍ତା ସିଡିପିଓଙ୍କୁ ଦାୟୀ କରି ବସ୍ତା ବିଡ଼ିଓ, ବାଲେଶ୍ଵର ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ସହିତ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଚତା ପାଇଁ ଆବେଦନ କରିଛନ୍ତି ।