ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ପୁଣି ସାମନାକୁ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ । ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ସାନକାକୁଡ଼ିଆ ଗ୍ରାମର ଦୀପ୍ତିମୟୀ ରାଉତ (୨୩) ନାମକ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି ।
ସାନକାକୁଡ଼ିଆ ଗ୍ରାମର ଦୀପ୍ତିମୟୀ ଓ ସେହି ଗ୍ରାମର ମନୋଜ ମହାନ୍ତିଙ୍କର ଗତବର୍ଷ ବିବାହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ବର ଘରର ଦାବି ମୁତାବକ ସମସ୍ତ ଯୌତୁକ ଝିଅ ଘର ପକ୍ଷରୁ ଦିଆଯାଇଥିଲା । ତେବେ ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବୀ କରିବାରୁ ଦୀପ୍ତିମୟୀ ବିରୋଧ କରିଥିଲେ । ଏହାକୁ ନେଇ ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସହିତ ମିଶି ସ୍ୱାମୀ ମନୋଜ ମଧ୍ୟ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଦିପ୍ତମୟୀ ଅଭିଯୋଗ କରିଛନ୍ତି । ନିର୍ଯାତନା ସହି ନପାରି ଅତିଷ୍ଠ ହୋଇ ଦୀପ୍ତି ବାପଘରକୁ ଚାଲିଯାଇଥିବା ବେଳେ ଗତ ୭ ତାରିଖରେ ଶ୍ୱଶୁର ଘର ଲୋକ ବୁଝାସୁଝା କରି ତାଙ୍କୁ ଘରକୁ ନେଇ ଆସିଥିଲେ । ଏହାପରେ ପୁଣି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବା ବେଳେ ଅଳ୍ପକେ ଦିପ୍ତିମୟୀ ବର୍ତ୍ତିଯାଇଛନ୍ତି ।
ଏ ନେଇ ଅଭିଯୋଗ କରି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ଦିପ୍ତୀ । ଅଭିଯୁକ୍ତ ସ୍ୱାମୀ ମନୋଜ ତାଙ୍କ ଉପରେ କିରୋସିନି ଢାଳିଦେବାକୁ ଉଦ୍ୟମ କରିବା ବେଳେ ସେ ଜୀବନ ବିକଳରେ ଅନ୍ୟ ଏକ ଘରକୁ ପଳାଇ କବାଟ ବନ୍ଦ କରିଦେବା ସହ ବାପଘର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ବାପଘର ଲୋକେ ଆସି ଦୀପ୍ତିମୟୀଙ୍କୁ ଉଦ୍ଧାର କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।