ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଗରୀବ ଓ ନୀରିହ ମହିଳାମାନେ ଠକେଇର ଶିକାର ହୋଇଛନ୍ତି । ଘରୋଇ କଂପାନୀ ଖୋଲି ମହିଳାମାନଙ୍କୁ ସଂଗଠିତ କରି ସ୍ବାବଲମ୍ବୀ କରିବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା କମ୍ପାନୀ ଠକି ନେଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରିସିଜନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଘରୋଇ କଂପାନୀର ଏମ ଡି ବାକି ରେଡ୍ଡି ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗୁଡିକୁ ହଳଦି ବ୍ୟବସାୟ କରିବା ନାଁରେ ପ୍ରତି ସ୍ବୟଂ ସହାୟକ ଗୋଷ୍ଠି ପାଖରୁ ୫୦ ହଜାର ଟଂକା ଲେଖାଏଁ ସଂଗ୍ରହ କରିଥିଲେ । ସେହିପରି ଗ୍ରାମାଂଚଳରୁ ଆରମ୍ଭ କରି ସଦର ମହକୁମା ଯାଏଁ ବେକାର ଯୁବକ ଯୁବତୀ ମାନଙ୍କୁ କଂପାନୀରେ ନିଯୁକ୍ତି ଦେବା ସହିତ ମୋଟା ଙ୍କର ଦରମା ସହିତ ଭତ୍ତା ଓ ଅବସରକାଳୀନ ପେନସନ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଖାଲି ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଂଚଳର ଶହ ଶହ ମହିଳା ସ୍ବୟଂ ସହାୟକ ଗୋଷ୍ଠି ପାଖରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଫେରାର ମାରିଥିବା ସଦର ଥାନାରେ ଲିଖିତ ଅଭିଯୋଗ ହେଉଛି । ତେବେ ତୁରନ୍ତ ଠକାମୀର ଶିକାର ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠିର ମହିଳା , ଆତ୍ନନିଯୁକ୍ତି ପାଇଁ ଠକେଇର ଶିକାର ହୋଇଥିବା ବେକାର ଯୁବକ ଯୁବତୀ ତଥା ହଳଦୀ ବ୍ୟବସାୟର ଷ୍ଟକିଷ୍ଟ କଂପାନୀ ପାଖରେ ଜମା ଦେଇଥିବା ଟଙ୍କା ଫେରସ୍ତ କରିବା ସହିତ କଂପାନୀର ଠକ ଏମ ଡି ବାକି ରେଡ୍ଡିକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାରେ ଖାଲି ଗୋଟିଏ ନୁହେଁ , ଏଭଳି ଅନେକ କଂପାନୀର କର୍ମଚାରୀମାନେ ଆସି ଘର ଭଡା ନେଇ କଂପାନୀର କାର୍ଯ୍ୟାଳୟ ଖୋଲିବା ସହିତ ନୀରହ ଜନସାଧାରଣଙ୍କୁ ପ୍ରଲୋଭିତ କରି ତାଙ୍କ ପାଖରୁ ଟଙ୍କା ସଂଗ୍ରହ କରିବା ଏକ ସାଧାରଣ ଘଟଣା ହୋଇଛି । ତେବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପ୍ରଶାସନ ଘରୋଇ କଂପାନୀ ଗୁଡିକର ଯାଞ୍ଚ କରିବା ସହିତ ତାଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଆଇନଜିବୀ ବଳଦେବ ବେଦବାଗ ଦାବି କରିଛନ୍ତି ।