(ପ୍ରିୟଦର୍ଶନୀ ସ୍ୱାଇଁ )ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି ଖବର ସାମ୍ନାକୁ ଆସିଥିଲା । ଯାହା ପରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅକ୍ଷୟ ପଞ୍ଜାବର ଅମ୍ରିତସର ଆସନ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସବୁ ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ଅକ୍ଷୟ । ଏକ ସାକ୍ଷାତକାରରେ ସେ ରାଜନୀତିକୁ ଆସିବାର କିଛି ଯୋଜନା ରହିଛି କି ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, “ରାଜନୀତି ମୋର କାର୍ଯ୍ୟସୁଚୀରେ ଆସୁ ନାହିଁ । ମୋତେ ଲାଗୁଛି କି, ମୁଁ ମୋ ଫିଲ୍ମ ଜରିଆରେ ଯାହା କରି ପାରୁଛି, ତାହା ମୁଁ ରାଜନୀତି ମାଧ୍ୟମରେ କରି ପାରିବି ନାହିଁ” ବୋଲି କହିଥିଲେ ଅକ୍ଷୟ । ତାଙ୍କର ଏହି ଉତ୍ତର ପରେ ସେ ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି ।