ନୂଆଦିଲ୍ଲୀ-: ପୁଣି ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ଉଦଗୀରଣ ଯୋଗୁଁ ବୁଧବାର ବାଲି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀକୁ ଫେରିଆସିଛି । ଦିଲ୍ଲୀରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି ।
ଖବର ମୁତାବକ, ଦିଲ୍ଲୀରୁ ବାଲି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ AI2145 ମଝି ଆକାଶରେ ଫେରିବା ପାଇଁ ପରାମର୍ଶ ଦିଆଯାଇଥିଲା । କାରଣ ପୂର୍ବ ନୁସା ତେଙ୍ଗାରା ପ୍ରଦେଶରେ ଅବସ୍ଥିତ ଇଣ୍ଡୋନେସିଆର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଗୋଟିଏ ମାଉଣ୍ଟ ଲେୱୋଟୋବି ଲାକି ଲାକିରେ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଗୀରଣ ହୋଇଥିଲା । ଏହାଦ୍ଵାରା ପାଉଁଶ ଓ ଧୂଆଁର ଏକ ବିରାଟ ସ୍ତର ଆକାଶରେ ୧୦,୦୦୦ ମିଟର(୩୨,୮୦୦ ଫୁଟ)ରୁ ଅଧିକ ଉପରକୁ ଉଠିଥିଲା । ଏହା ପ୍ରାୟ ୧୫୦ କିମି ଦୂରରୁ ଦେଖାଯାଉଥିଲା । ଶକ୍ତିଶାଳୀ ଆଗ୍ନେୟଗିରି ଉଦ୍ଗୀରଣ ଯୋଗୁଁଁ ସତର୍କତାମୂଳକ ପଦକ୍ଷେପ ମୁତାବକ ବୁଧବାର ବାଲି ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି । ଅନେକ ବିମାନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି, ଫଳରେ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ତେବେ ଏୟାର ଇଣ୍ଡିଆ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା । ଏୟାରଲାଇନ୍ସ ପକ୍ଷରୁ ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇ ଯାଇଥିବା ନିଶ୍ଚିତ କରାଯାଇଛି ।