ପୁଣି MKCGରେ ରାଗିଂ ଅଭିଯୋଗ, ଆଜି ବସିବ ଆଣ୍ଟି ରାଗିଂ ସେଲ ବୈଠକ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର । ଏପରିକି ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ସିନିୟର୍ । ଯଦି ପ୍ରତିବାଦ କରନ୍ତି ତେବେ ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କିଛି ଜୁନିୟର ପିଲା ।

ସୂଚନା ଅନୁସାରେ, ଏମ୍‌ବିବିଏସ୍‌ ୨ୟ ବର୍ଷ ଛାତ୍ରଙ୍କୁ ୧ ନଂ ହଷ୍ଟେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଆଣ୍ଟି ରାଗିଂ ସେଲ୍‌ରେ ଏଭଳି ଅଭିଯୋଗ ହେବା ପରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଅପରାହ୍ନରେ ଡିନ୍‌ଙ୍କ ଅଫିସରେ ଏ ନେଇ ତଦନ୍ତ ହେବ ବୋଲି ରେଜିଷ୍ଟ୍ରାର୍‌ ସଂଗ୍ରାମ ପଣ୍ଡା କହିଛନ୍ତି । ଆଣ୍ଟି ରାଗିଂ ସେଲ୍‌ କମିଟି ଆଗରେ ଅଭିଯୋଗକାରୀ  ଏବଂ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ଉପସ୍ଥିତ ହେବେ । ତେବେ ଅଗଷ୍ଟ ୨୨ ତାରିଖରେ ରାଗିଂ ଅଭିଯୋଗ  ପାଇବା ପରେ ଏନ୍‌ଏମ୍‌ସି ଆଣ୍ଟି ରାଗିଂ ସେଲ୍‌ ପକ୍ଷରୁ ଏମ୍‌କେସିଜି ଡିନ୍‌ଙ୍କୁ  ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ଏହା ଉପରେ ତଦନ୍ତ କରି କ’ଣ  ପଦକ୍ଷେପ ନିଆଯାଇଛି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ କରିଛି ଏନ୍‌ଏମ୍‌ସି ।