ଦୁଷ୍କର୍ମ ପରେ ମାରଣାସ୍ତ୍ରରେ ହାଣି ପକାଇଲେ ଦୁର୍ବୃତ୍ତ

ଯାଜପୁର-: ଯାଜପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଜଣେ କର୍ମଜୀବୀ ମହିଳା ହୋଇଛନ୍ତି ଦୁଷ୍କର୍ମର ଶିକାର । ବିରୋଧ କରିବାରୁ ପୀଡିତାଙ୍କୁ ଆକ୍ରମଣ କରୀ ରକ୍ତାକ୍ତ କଲେ ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ୭୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଦୁଷ୍ମର୍ମ ଘଟଣା ପୁରା ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅଭିଯୋଗ ଅନୁଯାୟୀ, ଯାଜପୁର ଟାଉନ ଥାନାଠାରୁ ୩ଶହ ମିଟର ଦୂର ଗାନ୍ଧୀଛକଠାରେ ମହିଳାଜଣକ ଘରକୁ ଯିବା ପାଇଁ  ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ‌ଅଟୋ ଚାଳକ ତାଙ୍କୁ ଘର ପାଖ ବଜାରରେ ଛାଡ଼ିଦେବ କହି ଡାକିଥିଲା । ସେହି ଅଟୋରେ ପୂର୍ବରୁ ଦୁଇଜଣ ଯୁବକ ବସିଥିଲେ । କିଛି ବାଟ ଗଲା ପରେ ଯୁବକ ଦ୍ୱୟ  ଅଟୋ ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳାଜଣକ ଏହାକୁ ବିରୋଧ କରିଥିଲେ ବି ଅଟୋ ଚାଳକ କିଛି ଶୁଣିନଥିଲେ । ପରେ ଦୁର୍ବୃତ୍ତମାନେ ମହିଳାଙ୍କୁ ତାଙ୍କ ଓଢ଼ଣୀରେ ବାନ୍ଧି ପକାଇ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ।

ସେଠାରେ ପୂର୍ବରୁ ଥିବା ୩ ଜଣ ମଦ୍ୟପ ଯୁବକଙ୍କ ସହ ମିଶି ମହିଳାଙ୍କୁ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଥିଲେ । ଦୁଷ୍କର୍ମ କରିବା ପରେ ତାଙ୍କ ପିଠି, ହାତକୁ ହାଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିଲେ । କୌଣସି ପ୍ରକାର ମହିଳାଜଣକ ଖସି ଆସି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାହାଯ୍ୟ ମାଗିବା ସହ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ‌ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।