ଝାରସୁଗୁଡା : ଝାରସୁଗୁଡାରେ ବିଜେପି ଓ କଂଗ୍ରେସଙ୍କୁ ଝଟକା ଦେଇ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛି ବିଜେଡି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୭୨୧ ଭୋଟରେ ପରାଜିତ କରିଛନ୍ତି ଦୀପାଳି ଦାସ ।ଝାରସୁଗୁଡ଼ାରେ ବୃହତ ବିଜୟ ପରେ ଝାରସୁଗୁଡ଼ାବାସୀଙ୍କୁ ପ୍ରଥମେ ଧନ୍ୟବାଦ ଦେଇଛନ୍ତି ଦିବଙ୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ । ଟ୍ୱିଟ୍ କରି ଦୀପାଳି କହିଛନ୍ତି ଯେ, ଭୋଟରଙ୍କ ଭଲ ପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି । ମୋ ଉପରେ ବିଶ୍ୱାସ ଓ ଭଲ ପାଇବାର ଆଶୀର୍ବାଦ ରଖିଥିବାରୁ ସମଗ୍ର ଝାରସୁଗୁଡ଼ାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଦୀପାଳି ଟ୍ୱିଟ୍ କରି କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ୩ ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଏବଂ ସାରଦା ନାୟକ ଓ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି । ବାପାଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗାମୀ ଦିନରେ ଝାରସୁଗୁଡ଼ାକୁ ବିକାଶର ଶିଖରରେ ପହଞ୍ଚାଇବା ମୋର ମୂଳଲକ୍ଷ୍ୟ । ଏଥିପାଇଁ ମୁଁ ମୋର ଉଦ୍ୟମ ଜାରି ରଖିବି ବୋଲି ବିଜୟ ପରେ ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି ।