ବହୁ ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ -୩ । ଏଥି ପାଇଁ ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଲକ୍ଷ ରଖି ପୂର୍ବ ଅପେକ୍ଷା ଅଧିକ ଇନ୍ଧନ, ପୂର୍ବ ପରି ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞା ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି । ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା ଚନ୍ଦ୍ରୟାନ-୩ର ଲକ୍ଷ୍ୟ ରହିଛି । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ ।