୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିର୍ଲା କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ରହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି। ଆଜି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି, ତାହା ଏହି ସବୁ କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇପାରିଛି। ଦଳମତ ନିର୍ବିଶେଷରେ ସଂସଦୀୟ ଓ ବିଭିନ୍ନ ରାଜ୍ୟର କମିଟି ମାନେ ଏହି ବର୍ଗର ସାମଗ୍ରିକ ଉନ୍ନତି ଉପରେ ଧ୍ୟାନଦେଇ ଆସିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ଯେ ୨୫ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି,  ଏବଂ ତାହା ମଧ୍ୟ ଓଡିଶାରେ ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ।   ଆଗରୁ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଓଡିଶାରେ ଆୟୋଜିତ ହୋଇଛି ବୋଲି ପ୍ରକାଶ କରି, ଏହାଦ୍ୱାରା ଜାତୀୟ ସ୍ତରରେ ଓଡିଶାର ଗୁରୁତ୍ୱ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ମାନଙ୍କର ବର୍ତ୍ତମାନର ପରିସ୍ଥିତି ଭଲଅଛି ବୋଲି ମନ୍ତବ୍ୟଦେଇଥିଲେ ଯେ “ଆମର ଆଜି ଭଲ ଅଛି, ଆଗାମୀ କାଲି ଖୁବ୍ ଭଲ ହେବ, ନିଶ୍ଚୟ ଭଲ ହେବ।” ଭୁବନେଶ୍ୱରର ଏହି ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢକ୍ତି ପ୍ରକାଶ କରିଥିଲେ।  ଓଡିଶାର ୪୦ ପ୍ରତିଶତ ଜନସାଧାରଣ ଦଳିତ ଓ ଜନଜାତି ବର୍ଗର ପ୍ରତିନିଧିତ୍ୱ କରନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକାଶ ସହିତ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରୁଛନ୍ତି। ଜନଜାତି ଭାଷାରେ ପାଠପଢାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ ପିଏମ ଜନମନ ଏବଂ ଧରତୀଆବା ଗ୍ରାମ ଉତ୍କର୍ଷ ଯୋଜନା ରେ ବିଭିନ୍ନ ଆଦିବାସୀ ଗୋଷ୍ଠୀ ଗୁଡିକୁ  ଫୋକସ କରାଯାଇଛି | ଏହି ଦୁଇଟି କାର୍ଯ୍ୟକ୍ରମ ରେ 5 କୋଟି ଆଦିବାସୀ ଲୋକ ସିଧାସଳଖ ଲାଭ ପାଇବେ |

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ବଞ୍ଚିତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ଲାଭ ପାଇବେ, ସେଥିପ୍ରତି ସରକାର ଦାୟିତ୍ୱବାନ ଅଛନ୍ତି | ବିଗତ କିଛି ବର୍ଷରେ ଶିକ୍ଷାର୍ଥୀଙ୍କ ସଂଖ୍ୟା 46 ରୁ 66 ଲକ୍ଷ ପର୍ଯ୍ୟନ୍ତ ବଢିଛି |

ରାଜ୍ୟସଭା ଡେପୁଟି ସ୍ପିକର ଶ୍ରୀ ହରିବଂଶ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି କହିଥିଲେ | ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ପାଇଁ ବିଗତ 10 ବର୍ଷ ରେ ବଜେଟ 4 ଗୁଣା ବଢିଛି ଏବଂ ଏଥିରେ ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡିକର ଉନ୍ନତି ହେବା ଫଳରେ ନକ୍ସଲବାଦ ଭଳି ସମସ୍ୟା କୁ ନିୟନ୍ତ୍ରଣ କରାଯାଇପାରିଛି |

ଏହି ଅବସରରେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର। ଏହି ବିଧାନସଭାର ପ୍ରତ୍ୟେକ ବିଧାୟକଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଏବଂ ସେହି ନୀତିକୁ ଦୁର୍ଗମ ଅଞ୍ଚଳର ଶେଷ ଲୋକଙ୍କ ନିକଟକୁ ପହଂଚାଇବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।

ସୂଚନାଯୋଗ୍ୟ ଯେ ଏପରି ସମ୍ମିଳନୀର ଆୟୋଜନ ପ୍ରଥମେ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ପରେ ଏହା ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପ୍ରଥମ ଥର ପାଇଁ ଏହା ଦିଲ୍ଲୀ ବାହାରେ ଓଡିଶାରେ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଯେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଆଲୋଚନା ପ୍ରତ୍ୟାଲୋଚନାର ଏକ ପରମ୍ପରା ସୃଷ୍ଟି କରିବା। ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦଳିତ, ଆଦିବାସୀ ମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିବା, ସେମାନଙ୍କୁ ମୁଖ୍ୟ ସ୍ରୋତରେ ନେବା ପାଇଁ ରହିଥିବା ଆହ୍ୱାନ ଗୁଡିକୁ ଚିହ୍ନଟ କରିବା ଏବଂ ସମାଧାନ ପାଇଁ ମାର୍ଗଦର୍ଶନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହାଦ୍ୱାରା ଆଗାମୀ ଦିନରେ ସମତା (equitable) ଓ ନ୍ୟାୟ (just) ଭିତ୍ତିକ ଏକ ସମାବେଶୀ (inclusive) ଭାରତ ଗଠନ କରାଯାଇ ପାରିବ।