ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ୧୩ ବର୍ଷ ପରେ ଏସିଡ୍ ଆଟାକ୍ କରିଥିବା ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ କରିଥିଲେ ୨ ଦୁର୍ବୃତ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ ।ତେବେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳୁ ବୋଲି ପୀଡ଼ିତା ପ୍ରମୋଦିନୀ ଦାବି କରିଥିଲେ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ମଣିଚରଣ ଶାରଳା ଏକାଡେମୀ କଲେଜରେ ୨୦୦୯ରେ ଯୁକ୍ତଦୁଇରେ ଅଧ୍ୟୟନ କରୁଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖ କନକପୁରଠାରେ ତାଙ୍କ ଉପରେ ଏସିଡ଼ ମାଡ଼ ହୋଇଥିଲା ।ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କ ଉପରେ ହୋଇଥିଲା ଏସିଡ଼ ଆକ୍ରମଣ । ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲେ ।କିନ୍ତୁ ଏକତରଫା ପ୍ରେମରେ ବିଫଳ ହେବାପରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏକ ଏସିଡ ବୋତଲ ବାହାର କରି ପ୍ରମୋଦିନୀଙ୍କ ମୁଣ୍ଡ ଓ ଦେହକୁ ଫିଙ୍ଗିବାରୁ ପ୍ରମୋଦିନୀ ଗୁରୁତର ହୋଇ ପଡ଼ିଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ ଜଗତସିଂହପୁର ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।
ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ। ୫ ବର୍ଷ ମୃତ୍ୟୁ ସଂଗ୍ରାମ କରିବା ପରେ ୨୦୧୪ରେ ନିଜ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ମନରେ ଦୃଢ ଆଶା ବାନ୍ଧି ସେ ଚାଲିବାକୁ ସକ୍ଷମ ହୋଇଥିଲେ।ଅନ୍ୟପକ୍ଷେ ୨୦୧୨ ମସିହାରେ ପୋଲିସ ଏହି କେସକୁ ବନ୍ଦ କରିଦେଇଥିଲା । ହେଲେ ୨୦୧୭ ମସିହାରେ ତତକାଳିନ ଏସପି ଜୟ ନାରାୟଣ ପଙ୍କଜ ଏହି କେସକୁ ପୁଣି ଥରେ ରି-ଓପନ କରିଥିଲେ ।୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।