ଥାନାରେ ଅଟକ ଅଭିଯୁକ୍ତର ଉନ୍ମତ କାଣ୍ଡ , ମହିଳା IICଙ୍କ ଗଳା କାଟି ହତ୍ୟା ଉଦ୍ୟମ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଅଭାବନୀୟ ଘଟଣା। ଥାନାରେ ଅଟକ ଅଭିଯୁକ୍ତ ଚୋରର ଉନ୍ମତ୍ତ କାଣ୍ଡ। ମହିଳା ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ଯା ଉଦ୍ୟମ କରିଛି ଅଟକ ଅଭିଯୁକ୍ତ। ମନ୍ଦିରରୁ ଚୋରି ଅଭିଯୋଗରେ ପୂଜକ ସୁଶାନ୍ତ ଦେଓ ଅଟକ ଥିଲେ । ତଦନ୍ତ ଚାଲିଥିବାବେଳେ ହଠାତ IIC ଙ୍କୁ ଆକ୍ରମଣ କରିଥିଲେ ।

ସୂଚନା ଅନୁସାରେ, ଅଭିଯୁକ୍ତ ସୁଶାନ୍ତ ଦେଓ ବିଶୋଇ ଥାନା ନିକଟରେ ଥିବା ଏକ ଶିବମନ୍ଦିରର ପୂଜକ। ଗତ ୧୭ ତାରିଖ ରାତିରେ ଏହି ଶିଵ ମନ୍ଦିରରୁ ଚୋରି ହୋଇଥିବା ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବରେ ପୂଜକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ବେଳେ, ଏହି ପୂଜକ ଏକ ଵ୍ଲେଡ ସାହାଯ୍ୟରେ ବିଶୋଇ ଥାନା ଅଧିକାରୀ ମିନି ଭୋଇଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଆହତ କରିଛନ୍ତି। ଆହତ ଇନ୍ସପେକ୍ଟର ମିନି ଭୋଇଙ୍କ ଵେକରେ ଏବଂ ହାତରେ ଗଭୀର ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା କଥା ଆଇ ଆଇ ସି ମିନି ଭୋଇ କହିଛନ୍ତି। ଏ ନେଇ ଆଉ ଏକ ମାମଲା ରୁଜୁ କରିଛି ବିଶୋଇ ଥାନା ପୋଲିସ ।