ଚିଲିକା/ ଦିବ୍ୟକାନ୍ତ ବେହେରା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗାଁର ୨ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା । ଉଭୟ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।