ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଥିବାରୁ ଦୁର୍ଘଟଣା ଘଟିଛି: ରେଳମନ୍ତ୍ରୀ

ଭୁବନେଶ୍ବର:  ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳମନ୍ତ୍ରୀ । ପଏଣ୍ଟ ମେସିନ ଓ ଇଣ୍ଟରଲକିଂ ସମସ୍ୟା ପାଇଁ ତିନିଟି ଟ୍ରେନ ଦୁର୍ଘଟଣା ହୋଇଥିବା ସେ କହିଥିଲେ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ଯୋଗେ ଟ୍ରେନର ଟ୍ରାକ୍ ମ୍ୟାନେଜ କରାଯାଇଥାଏ । ଦୁର୍ଘଟଣାର ତଦନ୍ତ ଶେଷ ହୋଇଥିବା ବେଳେ ରେଲଓ୍ବେ ସେଫ୍ଟି କମିଶନରଙ୍କ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସେପଟେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ୟ୍ୟ ଜୋରସୋରରେ ଚାଲିଛି । ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବା ସହ ଟ୍ରାକ କ୍ଲିୟର ହୋଇସାରିଛି । ବୁଧବାର ସକାଳ ସୁଦ୍ଧା ଟ୍ରାକରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।