ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥରେ ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ ଧକ୍କା ଦେବା ଫଳରେ ସ୍ୱାମୀ, ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବାଇକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ଦୁଇ ଜଣ ହେଲେ ବାଙ୍ଗରିପୋଷି ଥାନାର ରଙ୍ଗାମାଟିଆ ଅଞ୍ଚଳର ୩୫ ବର୍ଷିୟ ମନୋରଞ୍ଜନ ହାଁସଦା ଓ ତାଙ୍କ ସ୍ତ୍ରୀ ୩୦ ବର୍ଷିୟା ସୁନି ହାଁସଦା।
ସେହିପରି ସାମାନ୍ୟ ଆହତ ହୋଇଥିବା ଅନ୍ୟ ଜଣେ ବାଇକ ଚାଳକ ହେଲେ ବାଙ୍ଗରିପୋଷି ଥାନାର ଦରଖୁଟିଆ ଗ୍ରାମର ୨୮ ବର୍ଷିୟ ହୃଷିକେଶ ମହାନ୍ତ।ସୂଚନାଥାଉକି, ହୃଷିକେଶ ନିଜ ବାଇକ (ଓଡ଼ି ୧୧ ବି ୩୧୮୩) ଯୋଗେ ବାଙ୍ଗରିପୋଷି ଆଡ଼କୁ ଯାଉଥିବା ସମୟରେ ରାସ୍ତାର ଡାହାଣ ପାଖରେ ଥିବା ବିଶୋଇ ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ନିଜ ବାଇକକୁ ଡାହାଣ ଦିଗକୁ କାଟୁଥିଲେ ଠିକ ଏହି ସମୟରେ ପଛପଟୁ ଆସୁଥିବା ସ୍ୱାମୀ ,ସ୍ତ୍ରୀ ଆରହି ଥିବା ଅନ୍ୟ ଏକ ବାଇକ (ଜେ. ଏଚ ୦୫ ବିଡ଼ି ୯୩୮୫) ଭାରସାମ୍ୟ ହରାଇ ହୃଷିକେଶଙ୍କ ବାଇକକୁ ଧକ୍କା ଦେଇଥିଲା।
ଫଳରେ ଉଭୟ ବାଇକର ଆରହି ମାନେ ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡି ଯାଇଥିଲେ, ଫଳରେ ସୁନିଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଲାଗିବା ସହିତ ମନୋରଞ୍ଜନଙ୍କ ଅଣ୍ଟାରେ ମଧ୍ୟ ଗଭୀର ଆଘାତ ଲାଗିଥିଲା।ସେହିପରି ହୃଷୀକେଶ ମଧ୍ୟ ବାଇକରୁ ପଡି ସାମାନ୍ୟ ଆହତ ହୋଇଥିଲେ।ଘଟଣା ବିଷୟରେ ଖବର ପାଇ ବିଶୋଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ସ୍ୱାମୀ, ସ୍ତ୍ରୀ ଓ ଆହତ ହୃଷିକେଶଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ୨ ଗୋଟି ବାଇକକୁ ଉଦ୍ଧାର କରିଥିଲେ।

