ଜୟପୁର: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନାର ତତ୍କାଳୀନ ଅଧିକାରୀ ରାଜେଶ ବଳିୟାରସିଂହ ଜୟପୁର ଜିଲ୍ଲା ଜଜ୍ କୋର୍ଟରେ ହାଜିର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ରାଜେଶ ବଳିୟାରସିଂହ ପୂର୍ବରୁ କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ ସମେତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଗଞ୍ଜେଇ ଚୋରା ଚାଲାଣ ଚକ୍ରକୁ ସହଯୋଗ କରିବା ନେଇ ଅଭିଯୋଗ ଆସିଥିଲା। ଗତ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ତତ୍କାଳୀନ ଜୟପୁର ଏସଡିପିଓ ପାର୍ଥ କାଶ୍ୟପଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଭୁବନେଶ୍ଵର ଯାଇ ରାଜେଶଙ୍କୁ କାବୁ କରିଥିବା ସୂଚନା ମିଳିଥିଲା। କିନ୍ତୁ ସେଠାରୁ ରାଜେଶ ଚତୁରତାର ସହ ପଳାଇଯାଇଥିଲେ ଏବଂ ସେଥିଠାରୁ ସେ ଫେରାର ଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଅବଶେଷରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିବାରୁ ମାମଲାରେ ନୂଆ ପରିବର୍ତ୍ତନ ଆସିଛି। କୋର୍ଟ ପକ୍ଷରୁ ପରବର୍ତ୍ତୀ ଆଇନୁନ୍ମୁଖୀ କାର୍ଯ୍ୟବାହୀ ଆରମ୍ଭ ହୋଇଛି।