ଦେବଗଡ: ଶିଶୁପୁତ୍ର ବିକ୍ରି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ବାରକୋଟ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଅକ୍ଟୋବର ୨୭ ତାରିଖ ଦିନ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ୨୯ ତାରିଖ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ନାବାଳିକା ଜଣକ ଘରକୁ ଯିବା ସମୟରେ ଶିଶୁପୁତ୍ରକୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।
ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ଅଙ୍ଗନବାଡି କର୍ମୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଗାଁକୁ ସେ ଏକା ଫେରିବାରୁ ଦେବଗଡ ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବାରକୋଟ ଥାନାରେ ଅଭିଯୋଗ କରିବାରୁ ସମସ୍ତ ସତ୍ୟତା ପ୍ରକାଶ ପାଇଛି । ଘରକୁ ଫେରିବା ସମୟରେ ନାବାଳିକା ଜଣକ ବାହାରିଗଡ ଗ୍ରାମର ବସନ୍ତ ମୁଣ୍ଡା ଏବଂ ପତ୍ନୀ ଅଞ୍ଜଳୀ ମୁଣ୍ଡାଭ୍କୁ ଶିଶୁ ପୁତ୍ରଟିକୁ ୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଜଣାଯାଇଛି । ଘଟଣା କ୍ରମରେ ଲଲେଇ ଗ୍ରାମର ଗୁଣନିଧି ସାହୁ ଓ ତାଙ୍କ ମାଆ ଗୋଦାବରୀ ସାହୁଙ୍କ ମଧ୍ୟସ୍ଥତାରେ ଶିଶୁ ପୁତ୍ରକୁ ମୟୁରଭଞ୍ଜ ଜିଲ୍ଲା ଅଟଳ ବିହାରୀ ଭୋଳ ଓ ତାଙ୍କ ସ୍ତ୍ରୀ ଲଳିତା ଭୋଳକୁ ଦେଇଥିଲେ । ବାରକୋଟ ଥାନା ପୋଲିସ ଏନେଇ ବିଭିନ୍ନ ଦଫା ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଛଅ ଜଣଙ୍କୁ ଗିରଫ କରିଛି। ଅଟଳ ବିହାରୀ ଭୋଳ ଓ ତାଙ୍କ ସ୍ତ୍ରୀ ଲଳିତା ଭୋଳ ପାଖରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁପୁତ୍ରକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାରକୋଟ ଥାନା ପୋଲିସ ।