ନୂଆଦିଲ୍ଲୀ-: ନିର୍ଭରଯୋଗ୍ୟତା, ଆଇନଗତ ଅନୁପାଳନ ଏବଂ ପରିଚୟ ଲାଗି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏବେ ଆପଣଙ୍କୁ ବିମାନବନ୍ଦର, ହୋଟେଲ ବା କୌଣସି ସରକାରୀ କାର୍ଯ୍ୟାଳୟରେ ଅରିଜିନାଲ ଆଧାର କାର୍ଡ ବା ଏହାର ଫଟୋକପି ଦେଖାଇବାକୁ ପଡ଼ିବ ନାହିଁ । ସରକାର ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି ଏକ ନୂଆ ଆଧାର ଆପ୍ ଲଞ୍ଚ କରିଛନ୍ତି । ଏହାର ଉଦ୍ଦେଶ୍ୟ ଡାଟା ପ୍ରାଇଭେସିକୁ ସୁରକ୍ଷିତ ରଖିବା ଓ ଭେରିଫିକେସନ ପ୍ରକ୍ରିୟାକୁ ସହଜ କରିବା ।
କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଯାଞ୍ଚ କପି । ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି ଆଧାର । ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ ସରକାର ପ୍ରାଥମିକତା ଦେଇ ନୂଆ ‘ଆଧାର ଫେସ୍ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି । ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍ ଆଇଡି ଥିବା ଆଧାର ମୋବାଇଲ ଆପ୍ ଶୁଭାରମ୍ଭ ହୋଇଛି ।
ଏହି ଆପ୍ ଦ୍ୱାରା ୟୁଜରମାନେ ସେମାନଙ୍କ ଆଧାର ବିବରଣୀ ଡିଜିଟାଲ ଭାବେ ସେୟାର କରିପାରିବେ। ସେମାନଙ୍କୁ ଆଧାର କାର୍ଡ କିମ୍ବା ଏହାର କପି ଦେବାକୁ ପଡ଼ିବ ନାହିଁ । ୟୁପିଆଇ ପେମେଣ୍ଟରେ କ୍ୟୁ ଆର୍ କୋଡ୍ ସ୍କାନ ଭଳି ସହଜ ହେବ ଆଧାର ଭେରିଫିକେସନ୍ । ଏହି ପ୍ରକ୍ରିୟା ଶହେ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ । ଆଧାର କାର୍ଡ ସହ ଜଡିତ ତଥ୍ୟ ଲିକ୍ ହୋଇପାରିବ ନାହିଁ ।