ନଭେମ୍ବର ୧୦ ଓ ୧୧ ତାରିଖରେ ଲୋକସେବା ଭବନରେ ଆୟୋଜିତ ହେବାକୁ ଯାଉଛି ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’
ଭୁବନେଶ୍ୱର:- କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ଏଥିରେ ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବ । ବିସ୍ମୃତ ଫସଲଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଚିରନ୍ତନ ଚାଷ ପଦ୍ଧତିରେ ସହାୟତା ଏବଂ ପୌଷ୍ଟିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥି ମଧ୍ୟରୁ ଅନେକ ଫସଲ ମରୁଡ଼ି ସହନଶୀଳ ଏବଂ କୀଟନାଶକକୁ ପ୍ରତିରୋଧ କରିବାର କ୍ଷମତା ରଖିଥାଏ । ଓଡ଼ିଶାର ପାରମ୍ପରିକ ଶସ୍ୟଗୁଡ଼ିକ ଏହି ଫସଲ ସହିତ ଜଡ଼ିତ, ଯାହା ଯେକୌଣସି ପରିବେଶରେ ଖାପଖୁଆଇ ଭଲ ଭାବେ ବଢ଼ିପାରେ ।
ଏହି ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍, ସେଫ୍ ସଂଗଠନ, ବ୍ଲଗର୍ ଏବଂ ଛାତ୍ରଙ୍କ ସମେତ ବହୁ ହିତାଧିକାରୀଙ୍କୁ ସାମିଲ କରାଯାଇ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ୱାରା ଅଭିନବ ତଥା ଚିରନ୍ତନ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।