ଡେପୁଟି ମ୍ୟାନେଜର ବାବୁଙ୍କ ଘରେ ଟ୍ରଙ୍କ ଭର୍ତ୍ତି ୫୦୦ଟଙ୍କିଆ ନୋଟ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ (OPHWC)ର ସମ୍ବଲପୁର ଡିଭିଜନ୍‌ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ। ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପରେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରାଯାଉଛି।

 

ଏହା ପରେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମର ଭଞ୍ଜନଗରରେ ଥିବା ତାଙ୍କର ଠିକଣାଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରୁ ଆଉ ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା।  କେବଳ ଏତିକି ନୁହେଁ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ତାଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ୍ ବିଡ଼ା ମିଳିଛି। ଏକ ଟିଣ ବାକ୍ସରେ ଏହି ଟଙ୍କା ରଖାଯାଇଥିଲା। ସୂଚନା ଅନୁଯାୟୀ,  ଏହି ଚଢ଼ାଉ ବେଳେ ମୋଟ ୪୫ ଲକ୍ଷ ଟଙ୍କା ଜବତ କରାଯାଇଛି। ତେବେ ଗଣତି ଚାଲିଥିବା ଭିଜିଲାନ୍ସ ଏନେଇ ସ୍ପଷ୍ଟ କରି ନାହିଁ। ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିପୁଳ ପରିମାଣରେ ଲାଞ୍ଚ ଅର୍ଥ ନେଇ ଯାଉଥିବା ସଂପର୍କରେ ଭିଜିଲାନ୍ସ ପାଖରେ ନିର୍ଦ୍ଦିଷ୍ଟ ସୂଚନା ରହିଥିଲା। ସେହି ସୂଚନା ଆଧାରରେ ଭିଜିଲାନ୍ସ ରେଡ୍ କରି ଶ୍ରୀ ଭୋଳଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଶ୍ରୀ ଭୋଳଙ୍କୁ ସମ୍ବଲପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।