ଭୁବନେଶ୍ୱର: ଆସନ୍ତା ଜୁଲାଇ୬ରୁ୯ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀ ରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା ଙ୍କଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତି ସଂପର୍କରେ ଏକସମୀକ୍ଷା ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଦେଓରଂଜନ କୁମାର ସିଂ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସଂପୃକ୍ତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟ ପୁଲିସ୍ ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ.ସନ୍ତୋଷ ବାଲା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ।
ଅଦ୍ୟାବଧି ମିଳିଥିବା ସୂଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଜୁଲାଇ୬ ତାରିଖ ସଂଧ୍ୟାରେ ଜୟଦେବ ଭବନ ଠାରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ର୯୬ତମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବେ। ୭ତାରିଖରେ ପୁରୀ ଗସ୍ତ କରି ଅପରାହ୍ଣରେ ଶ୍ରୀଗୁଣ୍ଡିଚାରଥଯାତ୍ରା ଦର୍ଶନ କରିବେ । ୮ତାରିଖ ପ୍ରତ୍ୟୁଷରେ ମାନ୍ୟବରରାଷ୍ଟ୍ରପତିଙ୍କର ପୁରୀ ସମୁଦ୍ର କୂଳରେ ମର୍ଣ୍ଣି ଓ୍ୱାକ୍ କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ସହ ବିଭୂତି କାନୁନଗୋ କଲେଜ ଅଫ ଆର୍ଟଆଣ୍ଡକ୍ରାଫ୍ଟସ୍ ରଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିବେ।ସେଦିନ ଅପରାହ୍ଣରେ ସେ ଭୁବନେଶ୍ୱର ମେଣ୍ଢାଶାଳ ହରିଡାମଡ଼ା ସ୍ଥିତ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର(ଡିଆରସି) ରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ୯ତାରିଖପୂର୍ବାହ୍ନରେ ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନଶିକ୍ଷା ଓଗବେଷଣାପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ସ୍ନାତକସମାରୋହ ଉତ୍ସବରେ ଯୋଗଦାନ କରି ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ମାନ୍ୟବର ରାଷ୍ଟ୍ରପତି ଓଡିଶାରେ ପହଁଚିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପୁଙ୍ଖାନୁପୂଙ୍ଖ ଅବଗତ ହୋଇଥିଲେ । ଏ ସଂପର୍କରେ ସେ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ପୁରୀ ଜିଲ୍ଲାପାଳଓ ଆରକ୍ଷୀ ଅଧିକ୍ଷକଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ , ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ପାନୀୟଜଳ ଯୋଗାଣ, ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, କାରକେଡ୍ ବ୍ୟବସ୍ଥା, ଆବଶ୍ୟକ ପାସ୍ ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରସାର ଓ ସୂଚନା ପ୍ରଦାନ ବ୍ୟବସ୍ଥା , କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ଆଦି ସଂପର୍କରେ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପ୍ରତ୍ୟେକ କାର୍ଯ୍ୟକୁ ଭଲଭାବେ ତଦାରଖ ଓ ସମନ୍ୱୟ ରଖିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।