ସୁବର୍ଣ୍ଣପୁର ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ସୋନପୁର ର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ବୈଠକରେ ରାଜପୁରୋହିତ ଦୀପକ କୁମାର ପୁରୋହିତ ବଳିଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ଅକ୍ଟୋବର ୫ ତାରିଖ ଅମାବାସ୍ୟା ରାତିରେ ଜିଲାର ଇଷ୍ଟଦେବୀ ମା ସୁରେଶ୍ବର, ସମଲେଶ୍ବରୀ ଓ ବୁଢାରାଜାଙ୍କ ପୀଠରେ ପୂଜା ଓ ବଳି, ୬ ତାରିଖରୁ ୯ ଦିନ ବ୍ୟାପି ପୂଜାରମ୍ଭ, ୭ ତାରିଖରେ ପ୍ରତିପଦା ପୂଜା ବଳି ଓ ୮ ତାରିଖରେ ଦ୍ବିତୀୟା ପୂଜା ବଳି ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ୯ ତାରିଖ ବିଳମ୍ବିତ ରାତିରେ ସୁରେଶ୍ବରୀଙ୍କ ପୀଠରେ ଖଉଳ ବଳି, ୧୧ରେ ଦୁର୍ଗାଦେବୀଙ୍କର ସମଲେଶ୍ବରୀ ମଣ୍ଡପରେ ଷୋଡଷ ଉପଚାରରେ ପୂଜା, ୧୨ରେ ମହାଷ୍ଟମୀ ପୂଜା ଓ ଅଷ୍ଟଚଣ୍ଡୀ ପୀଠରେ ମହାଖଳା ପୂଜା, ୧୩ରେ ଡାଙ୍ଗୁଆ ବଳି ଓ ଭୋରରେ ମହାବଳି ଯାତ୍ରା ଏବଂ ୧୫ ତାରିଖରେ ସମସ୍ତ ଶକ୍ତିପୀଠରେ ଦଶହରା ପୂଜା ଆୟୋଜନ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । କୋଭିଡ୍ କଟକଣା ଭିତରେ ବଳିଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଉପଜିଲାପାଳ ନିହାର ରଞ୍ଜନ କହଁର ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି ହେମସାଗର ନନ୍ଦ, ମ୍ୟୁନିସିପାଲିଟି ଅଧିକାରୀ ସୂର୍ୟ୍ୟାଶୁ ରୁଟ୍, ସ୍ବାସ୍ଥ୍ୟ, ପୂର୍ଣ, ଜନସ୍ବାସ୍ଥ୍ୟ ଓ ବିଦ୍ୟୁତ୍ ବିଭାଗର ଅଧିକାରୀ, ସାମାଜିକକର୍ମି ଶ୍ରୀବତ୍ସ ମଲ୍ଲିକ,ପଏଁରୀ ଅନୁଷ୍ଠାନ ର ସଭାପତି ଲଡୁକିଶୋର ମଲ୍ଲିକ, ବୈକୁଣ୍ଠ ନାଥ ଶତପଥୀ ଓ ଆନନ୍ଦ ବାରିକ୍ ପ୍ରମୁଖ ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକର ନିଷ୍ପତ୍ତି ଓ ପରମ୍ପରା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ କହଁର ସୂଚନା ଦେଇଥିଲେ ।