ମଞ୍ଚେଶ୍ୱରରେ ଥିବା ଔଷଧ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଔଷଧ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ହୁହୁ ହୋଇ ଜଳିଗଲା ଔଷଧ ଗୋଦାମ । ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛିା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ତା’ ଭିତରେ ଥିବା ଲକ୍ଷାଧୀକ ଟଙ୍କାର ଔଷଧ ଜଳି ଯାଇଛି । ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ୭ରୁ ଅଧିକ ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ୟ୍ୟର ନିୟୋଜିତ କରାଯାଇଛି। ହେଲେ ଦୀର୍ଘ ୭ ଘଣ୍ଟା ପରେ ସକାଳ ପ୍ରାୟ ୬ଟା ପରେ ନିଆଁ ଲିଭିଥିବା ଜଣାଯାଇଛି। କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି ।