ତେହରାନ-: ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଇରାନର ସାହିଦ ରାଜାଇ ବନ୍ଦରରେ ହୋଇଥିବା ଭୟାବହ ବିସ୍ଫୋରଣ ରେ ୫୬୧ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୮ରେ ପହଞ୍ଚିଛି । ଇରାନର ଅବ୍ବାସ ସ୍ଥିତ ସାହିଦ୍ ରାଜାଇ ବନ୍ଦର କଲି ଅପରାହ୍ନରେ ପ୍ରଚଣ୍ଡ ବିସ୍ଫୋରଣରେ ଥରି ଉଠିଥିଲା ଏବଂ ସମଗ୍ର ଅଂଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ବନ୍ଦର କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ଦିଆଯାଇଛି। ବିସ୍ଫୋରଣ ସମୟରେ ବନ୍ଦରରେ ୨ ହଜାରୁ ଅଧିକ ଲୋକ ଉପସ୍ଥିତ ଥିଲେ ବୋଲି ସୂତ୍ରରୁ ଜଣାପଡିଥିଲା । ବନ୍ଦର ନିକଟରେ ସମୁଦ୍ର କୂଳରେ ରଖାଯାଇଥିବା ଏକ କଣ୍ଟେନରରେ ପ୍ରଥମେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଏବଂ ଏହାପରେ ଅନ୍ୟ କେତେକ କଣ୍ଟେନରରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଘଟଣା ସ୍ଥଳଠାରୁ ପ୍ରାୟ ୩ କିମି ଦୂରରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି ।