ଦେଶପ୍ରେମ ଆଗରେ ନବଜାତ ଶିଶୁ ଓ ରୋଗିଣା ସ୍ତ୍ରୀଙ୍କୁ ପଛରେ ପକାଇଲେ ଯବାନ…

ଘରେ ମାତ୍ର ୧୨ ଦିନର କଅଁଳା ଛୁଆ । ସେପଟେ ଫୁସଫୁସ ସଂକ୍ରମିତ ରୋଗରେ ପିଡିତ ସ୍ତ୍ରୀ ପଡିଛି ଆଇସିୟୁରେ । ଏଭଳି ସମୟରେ ବାତିଲ ହେଲା ଯବାନଙ୍କ ଛୁଟି । ଯୁଦ୍ଧ ଭୂଇଁରୁ ଆସିଲା ଡକରା । ଏହି ମୁଷୁର୍ତ୍ତରେ ପରିବାର ସହ ରହିବାକୁ ଥିଲେ ବି ଦେଶପ୍ରେମ ଆଗରେ ସବୁ ଯେପରି ତୁଚ୍ଛ । ତେଣୁ ସ୍ତ୍ରୀ ଏବଂ ପିଲାକୁ ପଛ କରି ଯୁଦ୍ଧ କ୍ଷେତ୍ରକୁ ବାହାରିଗଲେ ସ୍ୱାମୀ । ସେପଟେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରୀ ବିଗିଡିଗଲା । ଏହି ପରିସ୍ଥିତିରେ ସ୍ୱେଚ୍ଛାସେବୀ ଚାରି ୟୁନିଟି ରକ୍ତ ଦେଲେ ।


ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ଟେଙ୍ଗନାମାଲ ଗାଁରେ । ଗାଁର ବିଏସ୍ଏଫ୍ ଯବାନ ଦେବରାଜ ଗଣ୍ଡ ସ୍ତ୍ରୀଙ୍କ ପ୍ରସବ ପାଇଁ ମାସେ ଛୁଟିରେ ଆସିଥିଲେ । ଗତ ୨୮ ତାରିଖରେ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ସ୍ତ୍ରୀ ଲିପି ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ନବଜାତକ ସୁସ୍ଥ ଥିବାବେଳେ ସ୍ତ୍ରୀ ଲିପିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ୨୯ ତାରିଖରେ ତାଙ୍କୁ ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତି କରାଯାଇଥିଲା । ସ୍ଥିତି ଗମ୍ଭୀର ଥିବାରୁ ସେ ୧୩ଦିନ ହେଲା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଭାରତ ପାକିସ୍ତାନ ସାମ୍ଭାବ୍ୟ ଯୁଦ୍ଧକୁ ନେଇ ସେନାରେ କାର୍ଯ୍ୟରତ ଯବାନ ମାନଙ୍କ ଛୁଟି ବାତିଲ ହୋଇଥିଲା । ଫଳରେ ଦେବରାଜଙ୍କୁ କର୍ମକ୍ଷେତ୍ରକୁ ଫେରିଯିବା ପାଇଁ ପଡିଥିଲା । ଏଭଳି ସମୟରେ ପତ୍ନୀ ଲିପିଙ୍କ ପାଇଁ ରକ୍ତ ଆବଶ୍ୟକ ପଡ଼ିଥିଲା । ତେଣୁ ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସମାଜସେବୀ ୪ ୟୁନିଟ୍ ରକ୍ତଦାନ କରିଥିଲେ ।

ଦେଶର ସୁରକ୍ଷା ପାଇଁ ପ୍ରସ୍ତୁତି ସ୍ତ୍ରୀ ଏବଂ କଅଁଳା ଝିଅକୁ ଛାଡ଼ି ଯୁଦ୍ଧଭୂଇଁକୁ ଯାଇଥିବା ଯବାନଙ୍କ ପତ୍ନୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦାବି ହେଉଛି। ଭିମସାର୍ ଅଧ୍ୟକ୍ଷ ପ୍ରଫେସର ଡ. ଭାବଗ୍ରାହୀ ରଥ ଓ ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଡ.ଲାଲମୋହନ ନାୟକ ମା’ ଓ ଛୁଆର ସ୍ଵାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି। ପ୍ରଫେସର ଶ୍ରୀ ନାୟକ କହିଛନ୍ତି, ଲିପିଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ଫୁସ୍‌ଫୁସ୍ ସୁଧୁରୁଛି। ଡାଇଲିସିସ୍ ଚାଲିଛି। ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ। ଆବଶ୍ୟକ ପଡ଼ିଲେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଗଢ଼ାଯିବ ।