(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆଜିକାଲି ସମସ୍ତେ ପ୍ରାୟ ସ୍ନାକ୍ସ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ପ୍ରତିଦିନ ଘରେ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ସମସ୍ତେ ବୋର ହୋଇଯାଇଥାନ୍ତି । ତେବେ ସବୁଦିନ କିଛି ୟୁନିକ ଡ଼ିସ ପ୍ରସ୍ତୁତ କରିବା ମଧ୍ୟ ସମ୍ଭବପର ନୁହେଁ । ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏପରି ଏକ ୟୁନିକ ଡ଼ିସ ଯାହା ଖାଇବା ପରେ ଆପଣ ବାରମ୍ବାର ଖାଇବାକୁ ଇଛା କରିବେ । ତେବେ ଆସନ୍ତୁ ଆଜି ବନାଇବା ପୋଟାଟୋ ପାଲକ କବାବ ଓ ଜାଣିନିଅନ୍ତୁ କିପରି ପ୍ରସ୍ତୁତ କରାଯାଏ ଏହି ସ୍ୱାଦିଷ୍ଟ ଖାଦ୍ୟ ।
ଆବଶ୍ୟକୀୟ ସାମଗ୍ରୀ
୨୫୦ଗ୍ରାମ ପାଳଙ୍ଗ, ୨ଟି ବଡ଼ ଆଳୁ, ଅଧାକପ ବାଦାମ, ଅଧାକପ ଚଣା ଡାଲି, ଧନିଆ ପତ୍ର, ପିଆଜ, କଞ୍ଚାଲଙ୍କା, ୧ ଚାମଚ ଲେମ୍ବୁରସ, ଚାରୋଟି ବ୍ରେଡର ଗୁଣ୍ଡ, ଚାଟ ମସଲା ଏବଂ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ପାଳଙ୍ଗକୁ ଧୋଇ କାଟିଦିଅନ୍ତୁ ଓ ଆଳୁକୁ ସିଝାଇ ଦିଅନ୍ତୁ । ଏବେ ବାଦାମ ଓ ଚଣା ଡାଲିକୁ ପେଷି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ସିଝାଇ ରଖିଥିବା ଆଳୁରୁ ଚୋପାଛଡ଼ାଇ ସେଥିରେ ଏହି ପେଷ୍ଟକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ କାଟି ରଖିଥିବା ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର ଓ ପାଳଙ୍ଗକୁ ବ୍ରେଡ ଚୁର୍ଣ୍ଣ ସହିତ ମିଶାଇ ଦିଅନ୍ତୁ । ଶେଷରେ ସମସ୍ତ ସାମଗ୍ରୀକୁ ମିଶାଇ ଏହାର ଟିକ୍କି ପ୍ରସ୍ତୁତ କରି ଗରମ ତେଲରେ ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପୋଟାଟୋ ପାଲକ ଏହାକୁ ଆପଣ ଟମାଟୋ ସସ କିମ୍ବା ଚଟଣି ସହିତ ଗରମ ଗରମ ଟେଷ୍ଟ କରନ୍ତୁ ।