ଦିଲ୍ଲୀରେ ମେକ ଇନ୍ ଓଡିଶା ପାଇଁ ରୋଡ ଶୋ

( ସୌମ୍ୟ ରଞ୍ଜନ ସେଠୀ) : ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ । ମୌର୍ଯ୍ୟ ସେରେଟନ୍ ହୋଟେଲରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ସେ ଆମନ୍ତ୍ରଣ କରିବେ । ସେହିପରି ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀ ପ୍ରମୁଖ ଯୋଗଦେଇଛନ୍ତି । ରୋଡ ଶୋରେ ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ପୂର୍ବରୁ ବେଙ୍ଗାଲୁରୁ, ମୁମ୍ବାଇରେ ମେକ ଇନ ଓଡ଼ିଶା ପାଇଁ ରୋଡ ଶୋ କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ରୋଡ ଶୋ ହେବ । ଏହାପରେ ନଭେମ୍ବର ୧୧ରୁ ୧୫ ପର୍ୟ୍ୟନ୍ତ ମେକ ଇନ୍ ଓଡିଶା କନକ୍ଲେଭ୍ ଆୟୋଜିତ ହେବ ।

ପୂର୍ବ ଭାରତରେ ଓଡ଼ିଶାକୁ ମାନୁଫେକଚରିଂ ହବ୍ ଭାବେ ଛିଡ଼ା କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଆଜିର କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଦେଶର ବଡ ବଡ ନିବେଶକଙ୍କୁ ଭେଟିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଓଡ଼ିଶା ନିବେଶ ପାଇଁ ଉକୃଷ୍ଟ କ୍ଷେତ୍ର ଭାବେ ନିବେଶକଙ୍କ ଆଗରେ ଉପସ୍ଥାପନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।