(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମ ସୌର ମଣ୍ଡଳରେ ଛୋଟ ବଡ ଅସଂଖ୍ୟ ଗ୍ରହ ରହିଛି । ଏହି ସବୁ ଗ୍ରହଙ୍କର ଗୋଟିଏ ଲେଖା ନାମକରଣ ହୋଇଛି । ତେବେ କୌଣସି ଗ୍ରହକୁ ଯେକୌଣସି ନାମ ଦିଆ ଯାଇ ପାରିବ ନାହିଁ ଏଥିପାଇଁ କିଛି ନିର୍ଦ୍ଧାରିତ ନିୟମ ରହିଛି । ତେବେ ଆସନ୍ତୁ ଜାଣି ସେହି ନିୟମ କଣ ।
ଗ୍ରହର ନାମକରଣ ଅନ୍ତରାଷ୍ଟ୍ରୀୟ ମହାକାଶ ବିଜ୍ଞାନ ସଂଘ ଦ୍ୱାରା ହୋଇଥାଏ । ତେବେ ଯେକୌଣସି ନାମକୁ ଏହି ସଂସ୍ଥା ଅନୁମତି ଦେଇ ନ ଥାଏ । ଏଥିପାଇଁ କିଛି ନିୟମ ରହିଛି । କୌଣସି ଛୋଟ ଗ୍ରହର ନାମକରଣ ଥିଲେ ସେହି ଗ୍ରହକୁ ଖୋଜି ବାହାର କରିଥିବା ବ୍ୟକ୍ତିଙ୍କୁ ଗ୍ରହର ନାମ କରଣ ପାଇଁ ପ୍ରସ୍ତାବ ଅଧିକାର ଥାଏ । ଏହି ଅଧିକାର ଗ୍ରହକୁ ଖୋଜିଥିବା ବ୍ୟକ୍ତିଙ୍କ ନିକଟରେ ୧୦ ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେବେ ପ୍ରଥମେ ଗ୍ରହର ଏକ ଅସ୍ଥାୟୀ ନାମ ଦିଆଯାଏ । ଏଥିରେ ଗ୍ରହକୁ ଖୋଜିବା ବର୍ଷର ଦୁଇଟି ନମ୍ବର ଦିଆଯାଏ । ଯେମିତି ୨୦୦୬ରେ ଏକ ଗ୍ରହକୁ ଆବିଷ୍କାର କରାଯାଇଥିଲା, ଯାହାର ନାମ ଅସ୍ଥାୟୀ ଭାବେ ୨୦୦୬ଭିପି ୩୨ ଦିଆଯାଇଥିଲା । ଏହି ଗ୍ରହର ଅର୍ବିଟର ଚିହ୍ନଟ ପରେ ୪ଟି ଜାଗାରେ ଏହାର ଉଲ୍ଲେଖ ହୁଏ । ସେତେବେଳେ ଏହାକୁ ଏକ ସ୍ଥାୟୀ ନମ୍ବର ଦିଆଯାଏ । ଏହାପରେ ଆବିଷ୍କାରକଙ୍କୁ ଏହାର ନାମ କରଣ ପାଇଁ ଆମନ୍ତ୍ରିତ କରାଯାଏ ।
ପ୍ରସ୍ତାବିତ ନାମରେ ୧୬ ବା ତାଠାରୁ କମ ଇଂରାଜୀ ଆଲଫାବେଟ ରହିବା ଆବଶ୍ୟକ । ସେହି ନାମ କାହା ପ୍ରତି ଅପମାନଜନକ ହୋଇ ନ ଥିବ । ପୂର୍ବରୁ ଥିବା ନାମ ସହ ପ୍ରସ୍ତାବିତ ନାମ ମେଳ ଖାଉ ନ ଥିବ । ରାଜନେତା ଓ ସୈନିକଙ୍କ ମୃତ୍ୟୁର ୧୦୦ ବର୍ଷ ପରେ ସେମାନଙ୍କ ନାମ ପ୍ରସ୍ତାବ କରାଯାଇ ପାରିବ । ଗ୍ରହର ସ୍ଥିତିକୁ ନେଇ ମଧ୍ୟ ନାମ କରଣ କରାଯାଇ ପାରିବ ।